ଯାଆକୁ ବଞ୍ଚାଇବାକୁ ମହିଳାଙ୍କ ପ୍ରାଣଗଲା

କପ୍ତିପଦା/ଶାଳଚୁଆ : ପରକୀୟା ପ୍ରେମ ଅଭିଯୋଗରେ ସାନଯାଆକୁ ଆକ୍ରମଣ ବେଳେ ଉଦ୍ଧାର କରିବାକୁ ଆସି ପ୍ରାଣ ହରାଇଛନ୍ତି ବଡ଼ଯାଆ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ମା’-ପୁଅଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ମୟୂରଭଞ୍ଜ ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀ ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

କପ୍ତିପଦା ଥାନା ଜଡ଼ିଦା ପଞ୍ଚାୟତ ନେଦାମ ନୋଧାସାହି ଗ୍ରାମର ଗଜେନ୍ଦ୍ର ଭକ୍ତାଙ୍କ ସହିତ ସେହି ଗାଁର ବିଧବା ଦ୍ରୌପଦୀ ନାଏକ (୪୭)ଙ୍କ ଅନୈତିକ ସଂପର୍କ ଥିବା ସନ୍ଦେହ କରୁଥିଲେ ଗଜେନ୍ଦ୍ରଙ୍କ ପତ୍ନୀ ଶାନ୍ତି (୪୫)। ଏହି କଥାକୁ ‌ନେଇ ଗତକାଲି ରାତିରେ ପତ୍ନୀ ଶାନ୍ତି ଓ ପୁଅ ଚନ୍ଦନ (୧୮)ଙ୍କ ସହ ଦ୍ରୌପଦୀଙ୍କର ଝଗଡ଼ା ‌ହୋଇଥିଲା। ମା’ପୁଅ ମିଶି ଦ୍ରୌପଦୀଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଦ୍ରୌପଦୀଙ୍କ ବଡ଼ଯାଆ ସରସ୍ବତୀ ନାଏକ (୫୦)। ହେଲେ ଶାନ୍ତି ଓ ଚନ୍ଦନ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସରସ୍ବତୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସରସ୍ବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦ୍ରୌପଦୀଙ୍କର ହାତ ଭାଙ୍ଗିଯାଇଥିଲା। ଏହି କାଣ୍ତ ଭିଆଇବା ପରେ ଶାନ୍ତି ଓ ଚନ୍ଦନ ନିଜ ଘରକୁ ପଳାଇଥିଲେ।

ଖବର ପାଇ ଗୁରୁବାର ସକାଳେ କପ୍ତିପଦା ଥାନା ଅଧିକାରୀ ବିକ୍ରମ କେଶରୀ ଜେନା, ଉପଖଣ୍ତ ପୁଲିସ ଅଧିକାରୀ ସାର୍ଥକ ରାୟ ଓ ସାଇଣ୍ଟିଫିକ୍ ଟିମ୍ ପହ‌ଞ୍ଚି ଅଭିଯୁକ୍ତ ମା’ ,ପୁଅଙ୍କୁ ଘରୁ ଉଠାଇ ଆଣିବା ସହ ଶବ ଜବତ କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନା‌ ପଠାଇଛି। ଏ ନେଇ କେସ୍ ନଂ ୩୩୯/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଅନୈତିକ ସମ୍ପର୍କ ପାଇଁ ଏହି ହତ୍ୟାକାଣ୍ତ ଘଟିଛି, ନା ଏହା ପଛରେ ଆଉ କିଛି କାରଣ ରହିଛି, ସେ ସଂପର୍କରେ ଖୋଳତାଡ଼ ଜାରି ରଖିଛି ପୁଲିସ।

ସମ୍ବନ୍ଧିତ ଖବର