ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ବସ୍‌ ଓଲଟିଲା : ମହିଳା ଯାତ୍ରୀ ମୃତ, ୨୫ ଆହତ

ବାହାନଗା : ଆଜି ପଶ୍ଚିମବଙ୍ଗର ଏକ ତୀର୍ଥଯାତ୍ରୀ ବସ୍‌ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ, ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଥିଲେ। ତେବେ, ଆହତ ଓ ରକ୍ଷା ପାଇଯାଇଥିବା ଯାତ୍ରୀଙ୍କ ପ୍ରତି ମାନବିକତାର ନିଦର୍ଶନ କରିଛନ୍ତି ସ୍ଥାନୀୟ ପଣପଣାବାସୀ।

ଆଜି ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପଣପଣା-ବେଗୁନିଆ ନିକଟରେ ଏହି ତୀର୍ଥଯାତ୍ରୀ ବସ୍‌ ଓଲଟି ପଡ଼ିଥିଲା। ଇଦ୍‌ ପର୍ବ ଶେଷ ହେବା ପରେ ଗତକାଲି ରାତିରେ ମାନସିକ ରଖିଥିବା ୬୦ରୁ ଅଧିକ ଶ୍ରଦ୍ଧାଳୁ ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲା ଗୁଲବାଡ଼ି ଥାନା ଅଧୀନ ପୀଲଖାନା ଅଞ୍ଚଳରୁ ଭଦ୍ରକ ଜିଲ୍ଲାର ଧାମନଗର ସ୍ଥିତ ପୀରବାବାଙ୍କ ଆସ୍ଥାନକୁ ଆଲିୟା ନାମକ ଏକ ବସ୍‌ (ଡବ୍ଲ୍ୟୁବି-୪୧-ଏଚ୍‌-୦୯୦୬)ରେ ଦର୍ଶନ ପାଇଁ ଯାଉଥିଲେ। ସକାଳ ପ୍ରାୟ ୭ଟା ବେଳେ ବସ୍‌ଟି ଜାତୀୟ ରାଜପଥର ପଣପଣା-ବେଗୁନିଆ ଛକ ଭାରତ ପେଟ୍ରୋଲ୍‌ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନୟନଯୋରୀକୁ ଓଲଟି ପଡ଼ିଥିଲା। ଫଳରେ ବସ୍‌ର ଝର୍କା ନିକଟରେ ବସିଥିବା ତାସିନ ଫାତିମା (୨୩) ବସ୍‌ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ମହମ୍ମଦ ସାହାମନ (୨୦), ଅପସାନ ଖାତୁନ୍‌ (୨୨), ସେକ୍‌ ଫାଲକନ (୨୨), ସେକ୍‌ ସାରୁ (୨୨), ସମୀରି ଏମ୍‌ଡି (୧୪), ସଲ୍ଲାଉଦ୍ଦିନ ପ୍ରମୁଖଙ୍କ ସହ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଓ ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ବାଲେଶ୍ୱର ଓ ସୋର ହସ୍‌ପିଟାଲ୍‌ରେ ଭର୍ତି କରିଥିଲେ। ପରପଣା ସରପଞ୍ଚ ସୁନିତା ଦାଶଙ୍କ ସହ ସୁଶାନ୍ତ କୁମାର ନାୟକ, ସିଦ୍ଧେଶ୍ୱର ମହାନ୍ତି, ଭବାନୀ ଶଙ୍କର ଦାଶ, ଜ୍ୟୋତିର୍ମୟ ଗିରି, ପୂର୍ବତନ ସରପଞ୍ଚ ପ୍ରଦୀପ ବେହେରା, ଦିଲ୍ଲୀପ ଦାସ ପ୍ରମୁଖ ସେମାନଙ୍କୁ ନିକଟସ୍ଥ ନୂଆପଡ଼ା ସ୍କୁଲ୍‌ ଘରେ ନେଇ ରଖିବା ସହ ଜଳଖିଆ ଓ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଥିଲେ। ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ କରିଥିଲେ। ଯୁବକମାନଙ୍କ ଏଭଳି ସହଯୋଗ ପାଇଁ ଧାମନଗର ପୀର କମିଟି ସଦସ୍ୟ ଏବଂ ଦୁର୍ଘଟଣାଗ୍ରସ୍ତ ଶ୍ରଦ୍ଧାଳୁମାନେ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର