ଗୋଳନ୍ଥରା/ପାତ୍ରପୁର : ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ୍ ନିକଟ ୧୬ ନମ୍ବର ଜାତୀୟ ରାଜପଥ। ଏଠାରେ ଆଜି ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି। ଏଥିରେ ତାଙ୍କ ସ୍ବାମୀ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ, ଜରଡ଼ା ଥାନା ଅଧୀନ ସୁରଙ୍ଗି ନିକଟ ତିତିଗାଁର ରଞ୍ଜନ ପ୍ରଧାନଙ୍କ ପତ୍ନୀ ରିଙ୍କି ପ୍ରଧାନ (୨୦)। ସୂଚନାନୁସାରେ, ଆଜି ସକାଳ ୮ଟାରେ ରଞ୍ଜନ ତାଙ୍କ ବାଇକ୍‌ରେ ପିଙ୍କିଙ୍କୁ ନେଇ ଅଲଟ୍ରାସାଉଣ୍ଡ୍ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ଆସୁଥିଲେ। ଏହି ସମୟରେ ହଳଦିଆପଦର ଓଭରବ୍ରିଜ୍ ନିକଟରେ ଏକ ମାଲ୍ ବୋଝେଇ ଟ୍ରକ୍ ବାଇକ୍‌କୁ ପଛପଟୁ ଧକ୍କା ଦେବାରୁ ପିଙ୍କି ଛିଟିକି ପଡ଼ିଯାଇଥିଲେ। ଟ୍ରକ୍‌ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ  ତାଙ୍କର ମୃତ୍ୟୁ ହୋଇଥିଲା।
Advertisment
ରଞ୍ଜନ ଆହତ ହୋଇଥି‌ଲେ। ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ହଳଦିଆପଦର ସମିତିସଭ୍ୟ କେ.ପ୍ରବୀଣ କୁମାର ଓ ସରପଞ୍ଚ ଦଣ୍ଡପାଣି ବେହେରାଙ୍କ ସହ ଶତାଧିକ ଲୋକ ଓଭରବ୍ରିଜ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା, ଟ୍ରାଫିକ୍ ବ୍ୟବସ୍ଥା ଓ ରାସ୍ତାର ଦୁଇପାର୍ଶ୍ବ ଆଲୋକୀକରଣ ଦାବିରେ ଦୁଇ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ।ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ସୋମବାର ଦିନ ଓଭରବ୍ରିଜ୍ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। କେସ୍ ନମ୍ବର ୪୦୪ ଅନୁସାରେ ମାମଲା ରୁଜୁ ସହ ଟ୍ରକ୍ ଓ ବାଇକ୍ ଜବତ କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।