ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ଘଟଣା : ମୃତ ଦର୍ଶାଇଥିବା ମହିଳା ଜୀବିତ, ହତ୍ୟା ଅଭିଯୋଗରେ ଦୁଇ ନିର୍ଦ୍ଦୋଷ ଜେଲ୍‌ରେ

ଅଡ଼ୁଅ‌ାରେ ବାଦାମପାହାଡ଼ ପୁଲିସ, ଦୋଷ ଘୋଡ଼ାଇବାକୁ ପ୍ରୟାସ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ପୁଲିସର ଅପରିଣାମଦର୍ଶିତାର ଆଉ ଏକ ଘଟଣା ପଦାକୁ ଆସିଛି। ଖୋଲାଖୋଲି ଭାବେ ମାନବାଧିକାରକୁ ଉଲଂଘନ କରି ପୁଲିସ୍ ବେଆଇନ ଭାବେ ଦୁଇ ଜଣ ନିର୍ଦ୍ଦୋଷଙ୍କୁ ଗିରଫ କରି ଜେଲ୍‌ ପଠାଇଛି। ଯେଉଁ ମହିଳାଙ୍କୁ ମୃତ ଦର୍ଶାଇ ବାଦାମପାହାଡ଼ ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିଲା, ଉକ୍ତ ମହିଳା ଜଣକ ଜୀବିତ ବୋଲି ଜଣାପଡ଼ିଛି। ପୁଲିସ୍ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ପରେ କୌଣସି ଏକ ଗୁପ୍ତ ସ୍ଥାନରେ ଲୁଚାଇ ରଖିଥିବା ସୂଚନା ମିଳିଛି। ତେବେ ଅର୍ଦ୍ଧଦଗ୍ଧ ଶବର ପରିଚୟ ଏବେ ସୁଦ୍ଧା ପୁଲିସ୍ ପାଇ ନଥିବା ବେଳେ ଦୁଇ ଜଣ ନିର୍ଦ୍ଦୋଷଙ୍କୁ ଅଭିଯୁକ୍ତ ଦର୍ଶାଇ ଜେଲରେ ରଖିବା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଭଳି ଏକ ସ୍ପର୍ଶକାତର ପ୍ରସଂଗରେ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ତୁରନ୍ତ ନିର୍ଦ୍ଦୋଷ ବ୍ୟକ୍ତି ଦ୍ବୟଙ୍କୁ ମୁକୁଳାଇବା ପରିବ‌ର୍ତ୍ତେ ଜୋର ଜବରଦସ୍ତ ଦୋଷ ଲଦିବାକୁ ଚେଷ୍ଟା ଚଳାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଅନୁସନ୍ଧାନରୁ ଜଣାପଡ଼ିଛି, ଗତ ଏପ୍ରିଲ ୨୭ ତାରିଖ ବାଦାମପାହାଡ଼ ଥାନା ପୁଲିସ୍ ପାହାଡ଼ପୁର ଜଙ୍ଗଲରୁ ଜନୈକା ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରିଥିଲା। ପାହାଡ଼ପୁର ଗ୍ରାମର ସରଦାର ମୁର୍ମୁଙ୍କ ଅଭିଯୋଗ ମୁତାବକ, ଉକ୍ତ ଗ୍ରାମର ମୁନିରାମ ମୁର୍ମୁ ଓ ଅନ୍ୟ ଚାରି ଜଣ ଜଙ୍ଗଲକୁ ଯାଇଥିବା ବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଅଚିହ୍ନା ମହିଳାଙ୍କ ଶବ ପଡ଼ିଥିବା ଦେଖି ଉକ୍ତ ଗ୍ରାମର ୱାର୍ଡମେମ୍ବର ଲକ୍ଷ୍ମୀ ସିଂଙ୍କୁ ସୂଚନା ଦେଇଥିଲେ। ଗ୍ରାମବାସୀ ଏନେଇ ବାଦାମପାହାଡ଼ ଥାନା ପୁଲିସକୁ ଖବର କରିବା ପରେ ଥାନାଧିକାରୀ ଶ୍ରୀ ସେଠୀ ତଦନ୍ତ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି ଉକ୍ତ ଘଟଣାର ଅନୁସନ୍ଧାନ କରି ଫେରିଥିଲା। ଉକ୍ତ ଘଟଣାର ତଦନ୍ତକାରୀ ଅଧିକାରୀ ଶ୍ରୀ ସେଠୀ କପୋଳକଳ୍ପିତ ଭାବେ ଉକ୍ତ ଅର୍ଦ୍ଧଦଗ୍ଧ ମହିଳା ଜଣକ ପୁରୁଣାପାଣି ଗ୍ରାମର ମଙ୍ଗଲ ନାଏକଙ୍କ ପୁଅ ସଂଜୟ ନାଏକ(୨୦)ଙ୍କ ସ୍ତ୍ରୀ ରାଇମଣି ବାଙ୍କିରା ଗ୍ରାମର ବୋଲି ସନ୍ଦେହ କରି ସ୍ବାମୀ ଓ ଶ୍ବଶୁରଙ୍କୁ ଗିରଫ କରିଥିଲେ। ଏନେଇ ବାଦାମପାହାଡ଼ ଥାନାରେ କେସ୍ ନଂ. ୧୮/୧୯ ମୂଳେ ମାମଲା ରୁଜୁ କରି ପୁଲିସ ଉଭୟ ଶ୍ବଶୁର ମଙ୍ଗଲ ନାଏକ ଓ ସ୍ବାମୀ ସଂଜୟ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ରାଇରଙ୍ଗପୁର ଉପକାରାଗାରକୁ ପଠାଇ ଦିଆଯାଇଥିଲା।

ପରବର୍ତ୍ତୀ ସମୟରେ ପୁଲିସ୍ ମୃତ ଦର୍ଶାଇଥିବା ମହିଳା ରାଇମଣି ବାଙ୍କିରା ଜୀବିତ ଥିବା ଓ ତାଙ୍କ ମାଆ ସହିତ କଟକରେ କାମ କରୁଥିବା ନେଇ ସୂଚନା ପାଇ ମଙ୍ଗଲ ନାଏକଙ୍କ ସ୍ତ୍ରୀ ପାନ ନାଏକ ବାଦାମପାହାଡ଼ ଥାନାରେ ଜଣାଇଥିଲେ। ରାଇମଣିଙ୍କୁ କଟକରୁ ବାଦାମପାହାଡ଼ ଥାନା ପୁଲିସ ଉଦ୍ଧାର କରି ଗତ ୧୮ ତାରିଖ ବାଦାମପାହାଡ଼ ଥାନାକୁ ଆଣିଥିଲା। ପରେ ଉକ୍ତ ମହିଳାଙ୍କୁ କୌଣସି ଏକ ଗୁପ୍ତ ସ୍ଥାନରେ ପୁଲିସ୍ ରଖିଥିବା ବେଳେ ଜେଲରେ ବନ୍ଦୀ ଥିବା ନ‌ିର୍ଦ୍ଦୋଷ ବାପ ପୁଅ ମୁକୁଳିବାରେ ବିଳମ୍ବ ହୋଇଚାଲିଛି। ବେଆଇନ ଭାବେ ଜେଲରେ ବନ୍ଦୀ ଥିବା ବାପପୁଅଙ୍କୁ ମାନବାଧିକାର ଦୃଷ୍ଟିରୁ ଆଇନର ସହାୟତା ଯୋଗାଇ ଦେବାକୁ ଦାବି ହେଉଥିବାବେଳେ ଦୋଷ ଘୋଡ଼ାଇବାକୁ ପୁଲିସର ଏଭଳି ପ୍ରୟାସକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବାବଦରେ ରାଇରଙ୍ଗପୁର ଅତିରିକ୍ତ ଏସପି ଅଶୋକ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଏହି ଘଟଣା ସଂପର୍କରେ କୋର୍ଟକୁ ଅବଗତ କରାଯାଇଛି। ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରାଯାଇ କୋର୍ଟରେ ଉପସ୍ଥାପନ କରାଯାଇଥିବା ସେ କହିଥିଲେ। ସେହିପରି ମୃତ ଦର୍ଶାଯାଇଥିବା ମହିଳା ଜଣକ ଏବେ ଜୀବିତ ବୋଲି ବାଦାମପାହାଡ଼ ଥାନାର ତଦନ୍ତକାରୀ ଅଧିକାରୀ ଶଶଧର ସେଠୀ କହିବା ସହିତ ପୁଲିସର ତଦନ୍ତରେ ଭୁଲ ରହିଥିବା ସେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର