ନୂଆଁଖାଇ ରାତିରେ ଛାତିଥରା ଘଟଣା : ୨ ପୁଅଙ୍କୁ ଗଳାକାଟି ହତ୍ୟା, ରେଳ ଧାରଣ‌ାରୁ ମିଳିଲା ମା’ର ମୃତଦେହ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ସିଂଝରଣ ଗ୍ରାମରେ ରବିବାର ନୂଆଁଖାଇ ରାତିରେ ଘଟିଛି ଏକ ଛାତିଥରା ଘଟଣା। ଗାଁର ୭ ଓ ୨ ବର୍ଷର ଦୁଇ ଶିଶୁଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ବେଳେ ଏହି ଦୁଇ ଶିଶୁର ମା’ଙ୍କ ମୃତଦେହ ସୋମବାର ସକାଳୁ ରେଳ ଧାରଣାରୁ ଠାବ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସଂପୃକ୍ତ ମହିଳା ଜଣକ ନିଜେ ଦୁଇ ଶିଶୁପୁତ୍ରକୁ ହତ୍ୟା କରି ‌ରେଳଧାରଣାରେ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଅନ୍ୟ କେହି ‌ମଧ୍ୟ ଦୁଇ ଶିଶୁ ଓ ମା’ଙ୍କୁ ହତ୍ୟା କରିଥିବା କଥାକୁ ଏଡ଼ାଇ ଦେଇ ହେଉନାହିଁ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ ହାତରେ କିଛି ସୁରାକ ଲାଗିନଥିବା ଜଣାଯାଇଛି।

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମର ଲିଙ୍ଗ ମାଝୀ ଭବାନୀପାଟଣାରେ ରହନ୍ତି। ତାଙ୍କ ସ୍ତ୍ରୀ ବିମଳା ମାଝୀ (୩୨), ପୁଅ ଦୁଷ୍ମନ୍ତ (୭), ରବୀନ୍ଦ୍ର ମାଝୀ(୨) ଗାଁରେ ରହୁଥିଲେ। ରବିବାର ରାତିରେ ଦୁଇ ପୁଅ ଦୁଷ୍ମନ୍ତ ଓ ରବୀନ୍ଦ୍ରକୁ ଗଳା କାଟି ହତ୍ୟା କରାଯାଇଥିଲା। ପରଦିନ ସକାଳେ ମା’ବିମଳାଙ୍କ ମୃତ ଦେହ ‌ନିକଟସ୍ଥ ରେଳ ଧାରଣା‌ରେ ପଡ଼ିଥିଲା। ଆଜି ସକାଳେ ପରିବାର ଲୋକେ ତିନିଟି ମୃତଦେହଦେଖି ସଦର ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଏସ୍‌ପି ବାତୁଲା ଗଙ୍ଗାଧର, ସଦର ଥାନା ଆଇଆଇସି ପ୍ରଦୀପ ଧରୁଆ, ସଦର ପୁଲିସ ଏସଡିପିଓ ରମେଶଚନ୍ଦ୍ର ସେଠୀ ପହଞ୍ଚିଥି‌ଲେ। ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା ନେଇ ଏକ ମାମଲା ରୁଜୁ ହୋଇଛି। ତେବେ, ଏହା ହତ୍ୟା ପରେ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ସ୍ବାମୀ ଲିଙ୍ଗ ମାଝୀଙ୍କ ପରକିୟା ପ୍ରୀତି ଯୋଗୁଁ ବିମଳା ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ କହିବା ଅନୁଯାୟୀ, ଗତ ୫ ମାସ ତଳେ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହିତ ଲିଙ୍ଗ ମାଝୀଙ୍କ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା। ପରେ ସେମାନେ ଫେରାର ହୋଇ ଯାଇଥିଲେ। କିଛିଦିନ ପରେ ଦୁହେଁ ଫେରିଥିଲେ। ପ୍ରେମିକା ଜଣକ ନିଜର ପୂର୍ବ ସ୍ବାମୀ ପାଖରେ ରହିଥିଲେ। ଅନ୍ୟପକ୍ଷରେ ଲିଙ୍ଗ ମାଝୀ ସିଂଝରନ ଗ୍ରାମରେ ନରହି ଏକାକି ଭବାନୀପାଟଣା ସହରରେ ରହୁଥିଲେ। ବହୁଦିନ ଧରି ସେ ଘରକୁ ଫେରି ନଥିବା ବେଳେ ଗତକାଲି ନୂଆଁଖାଇ ପାଇଁ ମଧ୍ୟ ଗାଁକୁ ଆସି ନଥିଲେ। ତେଣୁ ଏହି ପରକିୟା ପ୍ରେମଜନିତ ହତାଶା ଓ ପ୍ରତିଶୋଧ ଭାବନାରୁ ପତ୍ନୀ ବିମଳା ଏପରି କରିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ସଦର ଥାନା ପୁଲିସ ପକ୍ଷରୁ ଲିଙ୍ଗ ମାଝୀ, ପ୍ରେମିକା ରଜବେମାଲ ଓ ତାଙ୍କ ସ୍ବାମୀ ଶିବ ବେମାଲଙ୍କୁ ଥାନାରେ ଆଣି ଅଟକ ରଖି ପଚରାଉଚରା କରୁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ପୁଲିସ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ସଂପୃକ୍ତ ତିନି ଜଣଙ୍କୁ ଜେରା ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର