ସମ୍ବଲପୁର : ସୋମବାର ସକାଳ ୬ଟା ୩୦ରେ ବୁର୍ଲା ବଡ଼ ଡାକ୍ତରଖାନାରେ ଟିବିରେ ଆକ୍ରାନ୍ତ ମହିଳା ଶାନ୍ତି ତନ୍ତୀ (୫୦)ଙ୍କର ମୃତ୍ୟୁ ହୋଇଗଲା। ଶବ ନେଇ ସ୍ବାମୀ ସୁରେଶ ତନ୍ତୀ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ନିକଟ ନିଜ ଗାଁ କୁଆଁରମୁଣ୍ଡାକୁ ଫେରିଗଲେ। ହେଲେ ଲୋେକ ଗାଁକୁ ଶବ ପୂରାଇ ଦେଲେ ନାହିଁ। ମାରପିଟ କଲେ। ଫଳରେ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ସ୍ବାମୀ ଯେଉଁ ଗାଡ଼ିରେ ଶବ ନେଇ ଯାଇଥିଲେ ସେଥିରେ ଫେରାଇ ଆଣିଲେ। ଗାଡ଼ି ଚାଳକ ତାଙ୍କୁ ସମ୍ବଲପୁର ରାଜଘାଟକୁ ନେଇ ଆସିଲେ ଶବଦାହ କରି ଦେବାକୁ। କିନ୍ତୁ ସେଠାରେ ତାଙ୍କୁ ଆଧାର କାର୍ଡର କପି ମଗାଗଲା। ତାହା ନଥିବାରୁ ଶବଦାହ ହୋଇ ପାରିବ ନାହିଁ ବୋଲି ଫେରାଇ ଦିଆଗଲା। ଏହାପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ଶବ ଫେରାଇ ନେଲେ ସୁରେଶ। ବୁର୍ଲାର ଡାକ୍ତରମାନଙ୍କୁ ନିଜ ଦୁଃଖ ଜଣାଇଲେ। ଏହାପରେ ସୁରେଶଙ୍କ ସହାୟତା ପାଇଁ ଆଗେଇ ଆସିଲେ ବୁର୍ଲାର ଡାକ୍ତର ଶଂକର ରାମଚନ୍ଦାନୀ, ଡା. ରାଜେଶ ମେହେର, ଡା. ତୁଷାର ବେହେରା ଏବଂ ଅନ୍ୟ ସାଥୀ ଡାକ୍ତରମାନେ। ସେତେବେଳକୁ ସଂଧ୍ୟା ହେବାକୁ ବସିଥିଲା। ଡାକ୍ତରମାନେ ନିଜେ ଶବ ନେଇ ବୁର୍ଲାର ଶ୍ମଶାନ ଅଞ୍ଚଳରେ ଗାତ ଖୋଲି ତାକୁ ପୋତିଥିଲେ। ଏ ସଂପର୍କରେ ପୁଲିସ୍କୁ ମଧ୍ୟ ଜଣାଇଥିଲେ। ସେହିପରି ଶାନ୍ତିଙ୍କ ସ୍ବାମୀ ସୁରେଶ ଅତ୍ୟନ୍ତ ଗରିବ ହୋଇଥିବାରୁ ଓ ଗାଁକୁ ଫେରିଲେ ଲୋକଙ୍କ ଆକ୍ରୋଶର ଆଶଂକା ଥିବାରୁ ଆସନ୍ତା ୩୦ ତାରିଖ ଯାଏଁ ବୁର୍ଲା ଡାକ୍ତରଖାନା ପରିସରରେ ତାଙ୍କର ରହିବା ଓ ଖାଇବା ବ୍ୟବସ୍ଥା କରିଛନ୍ତି ଡା. ରାମଚନ୍ଦାନୀ। ବର୍ତ୍ତମାନ ଗ୍ରାମାଞ୍ଚଳରେ ସାମାଜିକ ଦୂରତା ରକ୍ଷା ନାଁରେ ମାନବୀୟ ମୂଲ୍ୟବୋଧ କ୍ଷୁଣ୍ଣ ହେବାକୁ ବସୁଥିବାବେଳେ ତାଙ୍କ ସହାୟତା ପାଇଁ ଆଗେଇ ଆସିଥିବା ଡାକ୍ତରମାନଙ୍କ ପାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି ସୁରେଶ।
ସାମାଜିକ ଦୂରତ୍ବ ନାଁ’ରେ ମାନବିକତାର ମୃତ୍ୟୁ : ମହିଳାଙ୍କ ଶବ ପୂରାଇ ଦେଲେନି ଗ୍ରାମବାସୀ, ଶବ ସତ୍କାରରେ ସହାୟ ହେଲେ ଡାକ୍ତର
/sambad/media/post_attachments/wp-content/uploads/2020/04/dead_body-patrika.com_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)