ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରେମୁଣା: ରେମୁଣା ଥାନା ଅଧୀନ ତେନ୍ତୁଳିଦା ପଞ୍ଚାୟତର ନଈଗୋପାଳପୁର(ଘସିପଦା) ଗ୍ରାମ ପୋଖରୀରୁ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ନିକଟସ୍ଥ ବେଲଗଡ଼ିଆ ଆଦିବାସୀ ସାହିର ରୁହିଆ ସିଂଙ୍କ ପତ୍ନୀ ସରସ୍ୱତୀ(୫୨)ଙ୍କର ବୋଲି ଚିହ୍ନଟ ହୋଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ଆଜି ସକାଳେ ପୋଖରୀରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କଲାପରେ ଚିହ୍ନଟ ହୋଇଥିଲା। ମୃତା ସରସ୍ୱତୀଙ୍କ ଦେହରେ ବିଭିନ୍ନ କ୍ଷତଚିହ୍ନ ଥିବାରୁ ଏହା ହତ୍ୟା ନାଁ ଆତ୍ମହତ୍ୟା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର