ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିବା ଫଳରେ ଜଳିଗଲେ ବିବାହିତା ମହିଳା, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବାଁସଡ଼ା ଥାନା ଅଧୀନସ୍ଥ ଚରଦିଆ ଗାଁରେ ଗ୍ୟାସ୍ ଲିକ୍ ହେବା ପରେ  ଚୁଲାରୁ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବାର ଖବର ମିଳିଛି। ଏଥିରେ ୬ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଥିବା ଜଣାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। କିନ୍ତୁ ଏହାକୁ ହତ୍ୟା ବୋଲି ଜୀବନ୍ତ ଦଗ୍ଧ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରାୟ ବର୍ଷକ ତଳେ ଭଦ୍ରକ ଜିଲ୍ଲାର ଓରାସାହି ପଞ୍ଚାୟତର ବାଘନଟା ଗ୍ରାମର ପୂର୍ଣ୍ଣିମା ଦାସ (୨୨) ବାଁସଡ଼ା ଥାନା ଅନ୍ତର୍ଗତ ଚରଦିଆ ଗାଁର ପ୍ରଶାନ୍ତ ମହାଳିକ(୨୯)ଙ୍କୁ ପ୍ରେମ ବିବାହ କରିଥିଲେ। ଆଜି ସକାଳ ପ୍ରାୟ ୮ଟା ବେଳେ ପୂର୍ଣ୍ଣିମା ଶାଶୂ ଶଶୁରଙ୍କ ପାଇଁ ଚା’ ତିଆରି କରିବା ଲାଗି ଗ୍ୟାସ୍ ଚୁଲା ଲଗାଇଥିଲେ। ହେଲେ ସେଥିରୁ ଗ୍ୟାସ୍ ଲିକ୍ ହୋଇଥିଲା । ଏକଥା ଜାଣି ପାରି ନ ଥିଲେ ପୂର୍ଣ୍ଣିମା। ତା’ପରେ ସେହି ଗ୍ୟାସରେ ନିଆଁ ଲାଗିଯିବାରୁ ଚାରିଆଡ଼େ ବ୍ୟାପି ଯାଇଥିଲା। ସେଥିରେ ଜଳିଯାଇଥିଲେ ପୂର୍ଣ୍ଣିମା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ପ୍ରାଣହାନି ଘଟିଥିଲା।

ଏଥିରେ କେବଳ ତାଙ୍କର ଦୁଇ ବଖରା ଘର ନୁହେଁ, ବରଂ ଦୁଇ ପଡ଼ିଶା ଘରର ଚାରି ବଖରା ଘର ବି ଜଳିଯାଇଥିଲା। ସେହି ସମୟରେ ଘରେ ସ୍ବାମୀ ପ୍ରଶାନ୍ତ ନ ଥିଲେ। କିନ୍ତୁ ପୂର୍ଣ୍ଣିମାଙ୍କ ଶାଶୂ,ଶଶୁର ଘର ବାହାରେ ଚା’ ପିଇବାକୁ ଅପେକ୍ଷା କରିଥିବାରୁ ଏହି ନିଆଁ ଦାଉରୁ ରକ୍ଷା ପାଇଯାଇଥିଲେ।

ଏହାପରେ ଗ୍ରାମବାସୀ ନିଆଁ ଲିଭାଇବା ଲାଗି ଚାନ୍ଦବାଲି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏଣେ ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି ଜୀବନ୍ତ ଦଗ୍ଧ ପୂର୍ଣ୍ଣିମାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ବାଁସଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର