ମର୍ମନ୍ତୁଦ ଦୁର୍ଘଟଣା: ସ୍କୁଟିକୁ ଚାପିଦେଲା ଟ୍ରାକ୍ଟର, ଉଦ୍ୟାନ ବିଭାଗ ମହିଳା ପରିଦର୍ଶିକା ସମେତ ୨ ମୃତ 

ସୁନ୍ଦରଗଡ଼: ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରେ ସଦରଥାନା ଅନ୍ତର୍ଗତ ଡୁମେରବାହାଲ ପୂର୍ତ୍ତ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ୨ ମହିଳାଙ୍କ ପ୍ରାଣ ନେଇଛି। ଦ୍ରୁତଗତିର ଡ୍ରିଲିଂ ମେସିନ ଟ୍ରାକ୍ଟର ମାଡ଼ି ଆସି ଏକ ସ୍କୁଟିକୁ ଚାପି ଦେଇଥିଲା। ଘଟଣାସ୍ଥଳରେ ସୁବଲୟାର ମହିଳା ସ୍ବେଚ୍ଛାସେବୀ ଆରତୀ ନାଏକ(୪୩)ଙ୍କ ମୃତ୍ୟୁ ହୋଇଥିବାବେଳେ ସବଡେଗା ଉଦ୍ୟାନ ବିଭାଗ ମହିଳା ପରିଦର୍ଶିକା ସୁକମଳା ପଟେଲ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ସ୍କୁଟି ଚୂରମାର ହୋଇଯାଇଛି। ଦୁଇ ମହିଳା ସବଡେଗା କୃଷି ବିଭାଗ ବୈଠକରେ ଯୋଗ ଦେଇ ସୁବଲୟା ଫେରୁଥିଲେ। ଆରତୀ ସ୍କୁଟି ଚଲାଉଥିଲେ। ଦୁର୍ଘଟଣାରେ ଗୁରୁତର ସୁକମଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ଦୁର୍ଘଟଣା ପରେ ଚାଳକ ଫେରାର ହେବାକୁ ଚେଷ୍ଟା କରୁଥିବାବେଳେ ଲୋକେ ଗୋଡ଼ାଇ ଧରି ନିସ୍ତୁକ ପିଟି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଟ୍ରାକ୍ଟର ଚାଳକ ନିଶାସକ୍ତ ଅବସ୍ଥାରେ ଚଲାଇଥିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପୁଲିସ ଚାଳକକୁ ଗିରଫ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଶନିବାର ଶବ ବ୍ୟବଚ୍ଛେଦ କରାଯିବ। ଦୁଇ ମହିଳାଙ୍କ ଶୋଚନୀୟ ମୃତ୍ୟୁକୁ ନେଇ ସୁବଲୟାରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର