ବୈପାରିଗୁଡା: ମୃତ୍ୟୁ କେତେବେଳେ କେଉଁ ସମୟରେ ଆସେ କଳନା କରିବା ସମ୍ଭବ ନୁହେଁ। ବାଇକରୁ ଖସିପଡ଼ି ବସ୍ ଚକା ତଳେ ଚାପିହୋଇ ମୃତ୍ୟୁ ହେବା ଭଳି ଏକ ଦୁଃର୍ଭାଗ୍ୟ ପୂର୍ଣ୍ଣ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଞ୍ଚଳରେ। ମୃତକ ହେଲେ କୁନ୍ତଳା ନାୟକ (୫୦)।
ଘଟଣା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ପାଣ୍ଡ୍ରିପାଣି ଗ୍ରାମର ଶିବରାମ ନାୟକ ନିଜ ଭାଉଜ କୁନ୍ତଳା ନାୟକ ଏବଂ ଝିଆରୀକୁ ବାଇକରେ ବସେଇ ମାଥିଲି ଯିବା ପାଇଁ ବାହାରିଥିଲେ। ତେବେ ଚିପାକୁର ପଞ୍ଚାୟତ ଅନ୍ତର୍ଗତ ପାଙ୍ଗଣପାଣି ଘାଟିରେ ଜୟପୁରରୁ ଚିପାକୁର ଯାଉଥିବା ଏକ ଘରୋଇ ବସକୁ ରାସ୍ତା ଦେବାକୁ ଯାଇ ରାସ୍ତା କଡ଼ରେ ରହିଥିବା ମାଟି ଗଦା ଉପରେ ଚଢ଼େଇ ଦେବା ଫଳରେ କୁନ୍ତଳା ବାଇକରୁ ଖସି ପଡ଼ିଥିଲେ। ଯାହାଫଳରେ ବସର ପଛ ଚକା ତଳେ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
ଏସଂପର୍କରେ ଖବର ପାଇ କୁନ୍ତଳାଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ନଦେବା ଯାଏ ଗାଡ଼ିକୁ ନଛାଡିବା ପାଇଁ ଅଡି ବସିଥିଲେ। ଶେଷରେ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ। ରାମଗିରି ଫାଣ୍ଡି ଏଏସ୍ଆଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ପ୍ରକାଶ କରିଛି। ତେବେ ବୈପାରିଗୁଡାରେ ଜଳ ଯୋଗାଣ ପାଇଁ ଚାଲିଥିବା ଯୋଜନାରେ ମେଗା ଜଳ ପ୍ରକଳ୍ପ ତରଫରୁ ପାଇପ୍ ବିଛାଇବା ପାଇଁ ରାସ୍ତା କଡ଼ରେ ଖାଲ ଖୋଳିବା ସହ ମାଟି ଗଦା ସବୁ ଛାଡ଼ି ଦେଇଥିବାରୁ ସେହି ମାଟି ଗଦା ଉପରେ ବାଇକ୍ ଚଢ଼ି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।