ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଠୁର୍ଲାରେ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ବେଳେ ଛଡ଼ାଇବାକୁ ଯାଇଥିବା ଲୋଚନାବତୀ ସାହୁ ନାମ୍ନୀ ଜଣେ ମହିଳା ଟେକାମାଡ଼ରେ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ପୁଲିସ କିଶୋର ତରିଆଙ୍କୁ ଅଟକ ରଖିଛି।

Advertisment

ପୁଲିସର ସୂଚନା ଅନୁସାରେ, ରବିବାର ରାତିରେ କୁଠୁର୍ଲା ଗାଁର କିଶୋର ତରିଆ ଓ ଦଶବ ସାହୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଛଡ଼ାଇବା ପାଇଁ ଦଶବଙ୍କ ମା’ ଲୋଚନାବତୀ ସେଠାକୁ ଯାଉଥିଲେ। ଏହି ସମୟରେ ଟେକାମାଡ଼ ହେବାରୁ ସେ ତଳେ ପଡ଼ିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିଲା। ହେଲେ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଗାଁ ଲୋକଙ୍କଠାରୁ ସୂଚନା ମିଳିଛି। ଶବ ଗାଁରେ ପହଞ୍ଚିବା ପରେ ସୋନଗଡ଼ ନଦୀକୂଳରେ ଶେଷକୃତ୍ୟ କରାଯାଇଛି। ଅଭିଯୁକ୍ତ କିଶୋରଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି। ତଦନ୍ତ ଚାଲିଛି, ପରେ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ଥାନା ଅଧିକାରୀ ତାରାବତୀ ପ୍ରଧାନ ପ୍ରକାଶ କରିଛନ୍ତି।