ଜେଲରୁ ମୁକୁଳିବା ପରେ ଆଖି ବୁଜିଲେ ପ୍ରସୂତୀ; ନବଜାତ ଶିଶୁ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଅଣ୍ଡିରାକଞ୍ଚରେ ଉତ୍ତେଜନା

ଅଣ୍ଡିରାକଞ୍ଚ ପୁଲିସର ଜୁଲମ୍: ରାତି ଅଧରେ ଗିରଫ ହୋଇଥିଲେ ୧୩ ମହିଳା

ରାୟଗଡ଼ା: କମ୍ପାନିରେ କାମ ଦାବିରେ ଆନ୍ଦୋଳନରତ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛି ଅଣ୍ଡିରାକଞ୍ଚ ପୁଲିସ୍। ହତ୍ୟା ଅଭିଯୋଗରେ ପୁଲିସ୍ ୧୩ ମହିଳାଙ୍କୁ ରାତିଅଧରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୀର୍ଘ ୧୪ ଦିନ ପରେ ମହିଳାମାନେ ଜାମିନରେ ମଙ୍ଗଳବାର ଜେଲରୁ ମୁକୁଳିଥିଲେ। ସେମାନଙ୍କ ମଧ୍ୟରେ ଗର୍ଭବତୀ ଥିବା ମୁଲା ନାୟକ ବୁଧବାର ରାତିରେ ରାୟଗଡ଼ା ମେଡ଼ିକାଲରେ ଶିଶୁ ପୁତ୍ର ଜନ୍ମ କରିବା ପରେ ମୃତ୍ୟୁବରଣ କରିଛନ୍ତି। ଚିକିତ୍ସା ଅଭାବରୁ ମୁଲାଙ୍କ ମୃତ୍ୟୁ ହୋଇଥିବା ବେଳେ ନବଜାତ ଶିଶୁ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ମୁଲାଙ୍କ ମୃତ୍ୟୁ ପରେ ଅଣ୍ଡିରାକଞ୍ଚରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ମୃତଦେହ ରଖି ଥାନା ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

କାଶୀପୁର ବ୍ଲକ୍ ଅଣ୍ଡିରାକଞ୍ଚ ଗ୍ରାମର ମହିଳାମାନେ ଉତ୍କଳ ଆଲୁମିନା କମ୍ପାନିରେ ଦୈନିକ କାମ ଦାବିରେ ଦୀର୍ଘ ମାସ ହେଲା ଆନ୍ଦୋଳନ କରି ଆସୁଥିଲେ। ଅଣ୍ଡିରାକଞ୍ଚ ଗ୍ରାମ ଦେଇ କମ୍ପାନିର କନଭେୟାର ବ୍ଲେଟ୍ ଯାଇଥିବା ବେଳେ ସେଥିରେ ବକ୍ସାଇଟ୍ ପରିବହନ ମଧ୍ୟ ହେଉଛି। ଆନ୍ଦୋଳନ ତୀବ୍ରତର ହେବା ପରେ ଡିସେମ୍ବରରେ କାଶୀପୁର ତହସିଲଦାର ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ମହିଳାଙ୍କୁ କାମ ପ୍ରଦାନ ପାଇଁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ କାମ ମିଳିବାରେ ବିଳମ୍ବ ହେବା ପରେ ପୁର୍ନବାର ମହିଳାମାନେ ଧାରଣାରେ ବସିଥିଲେ। ଡିସେମ୍ବର ୨୬ ତାରିଖ ରାତିରେ ଅଣ୍ଡିରାକଞ୍ଚ ପୁଲିସ୍ ୧୩ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ମହିଳାଙ୍କ ମଧ୍ୟରେ ଗର୍ଭବତୀ ମୁଲାଙ୍କ ସହ ଅନ୍ୟ ୪ ଜଣ ପ୍ରସୂତି ମହିଳା ଓ ୪ ଜଣ ନବଜାତ ଶିଶୁ ଥିଲେ। ଯାହାକୁ ଭୃକ୍ଷେପ କରିନଥିଲା ପୁଲିସ୍। ମହିଳା କୋର୍ଟ ଚାଲାଣ ପରେ ଗ୍ରାମବାସୀ ଜାମିନ୍ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜାନୁଆରୀ ୬ ତାରିଖରେ କୋର୍ଟ ଜାମିନ୍ ମଞ୍ଜୁର କରିଥିଲେ ମଧ୍ୟ ପୁଲିସର ଦ୍ବିତୀୟ ମାମଲା ପାଇଁ ଜାମିନ୍ ହୋଇପାରିନଥିଲା।

ଜାନୁଆରି ୧୦ ତାରିଖରେ କୋର୍ଟ ସମସ୍ତ ମହିଳାଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ଜେଲରୁ ମୁକୁଳିବା ବେଳକୁ ରାତି ହୋଇଯାଇଥିବାରୁ ମହିଳାମାନେ ନିଜ ଗାଁ ଅଣ୍ଡିରାକଞ୍ଚକୁ ଫେରିପାରିନଥିଲେ। ସମସ୍ତେ ରାୟଗଡ଼ାରେ ରାତ୍ରି ଯାପନ କରିଥିଲେ। ୧୧ ତାରିଖ ସକାଳେ ଗର୍ଭବତୀ ଥିବା ମୁଲା ନାୟକ ଗର୍ଭ ଯନ୍ତ୍ରଣା ଅନୁଭବ କରିବା ପରେ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ରାତି ୭ଟାରେ ମୁଲା ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ସଙ୍କଟାପନ୍ନ ହୋଇ ପଡିଥିଲେ। ପ୍ରାଥମିକ ଚିକିତ୍ସା ପରେ ମୁଲାଙ୍କୁ କୋରାପୁଟ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମୁଲାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଆଜି କୋରାପୁଟ ମେଡ଼ିକାଲ କଲେଜରେ ଶବ ବ୍ୟବଚ୍ଛେଦ ପରେ ମୁଲାଙ୍କ ମୃତଦେହକୁ ଗାଁକୁ ଅଣାଯାଉଛି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଣ୍ଡିରାକଞ୍ଚରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଥାନା ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି। ସେପଟେ ପୁଲିସର ଏପରି ଜୁଲମକୁ ତୀବ୍ର ନିନ୍ଦା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା। ଜମିହରା ତଥା ପ୍ରଭାବିତ ଅଞ୍ଚଳବାସୀଙ୍କୁ ଦାବିକୁ କମ୍ପାନି କର୍ଣ୍ଣପାତ ନ କରିବା ସହ ପୁଲିସକୁ ହାତବାରିସ୍ କରି ମିଥ୍ୟା ମାମଲା ମାଧ୍ୟମରେ ‌ଲୋକଙ୍କୁ ହଇରାଣ କରୁଛି ବୋଲି ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି। ପୁଲିସର ଜୁଲମ ବିରୁଦ୍ଧରେ ଜନ ଆନ୍ଦୋଳନ ସହ ଏହି ଘଟଣାକୁ ନେଇ ଲୋକସଭାରେ ପ୍ରଶ୍ନ ଉଠାଇବେ ବୋଲି ସପ୍ତଗିରି କହିଛନ୍ତି।

ସମ୍ବନ୍ଧିତ ଖବର