ଗୁଣି ଗାରେଡ଼ି ସନ୍ଦେହରେ ଝଡ଼ାଫୁଙ୍କାରୁ ଚାଲିଗଲା ମହିଳାଙ୍କ ଜୀବନ

ରାଉରକେଲା: ଡାକ୍ତରଖାନାକୁ ନ ନେଇ ଗୁଣି ଗାରେଡ଼ି ସନ୍ଦେହରେ ଘରେ ରଖି ଝଡ଼ାଫୁଙ୍କା କରିବାରୁ ଜଣେ ମହିଳାଙ୍କ ଜୀବନ ଯାଇଛି l ମୃତ ମହିଳା ଜଣକ ହେଲେ ବୁଧୁନି ମୁଣ୍ଡା (୫୪) l ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜଡା ଗାଁ ପୁରୁଣାପାଣି ବସ୍ତିରେ l ଗୁରୁଣ୍ଡିଆ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l
ମିଳିଥିଵା ସୂଚନା ମୁତାବକ ବୁଧୁନିଙ୍କୁ ଗତ ପ୍ରାୟ ମାସେ ହେବ ମୁଣ୍ଡାବିନ୍ଧା ସହ ଜ୍ଵର ହେଉଥିଲା l ପରିବାର ଲୋକେ ଗୁଣି ଗାରେଡ଼ି ସନ୍ଦେହରେ ଡାକ୍ତରଖାନାକୁ ନ ନେଇ ଗାଁର ଗୁଣିଆଙ୍କ ନିକଟରେ ଝଡ଼ାଫୁଙ୍କା କରୁଥିଲେ l ଗତକାଲି ରାତିରେ ବୁଧୁନି ଗୁରୁତର ହୋଇ ପଡ଼ିଥିଲେ l ପରିବାରଲୋକେ କୌଣସି ଉପାୟ ନପାଇ ଗୁରୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର