ମହିଳାଙ୍କୁ ହତ୍ୟା ଅଭିଯୋଗ, ଶ୍ବଶୁର ଘର ପରିବାର ଲୋକଙ୍କ ନାଁରେ ଏତଲା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁତକାବାଦି (ନାକି) ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ବାପ ଘର ଲୋକେ ଶ୍ବଶୁର ଘର ଲୋକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁସାରେ ଭୁତକାବାଦି ଗାଁର ତାପସ ନନ୍ଦଙ୍କ ପତ୍ନୀ ରେଖା ପରମାଣିକଙ୍କର ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଗତ ୨୦ ତାରିଖ ଦିନ ସକାଳେ ମୃତ୍ୟୁ ହୋଇଛି। ଅଭିଯୋଗ ଅନୁଯାୟୀ ରେଖାଙ୍କୁ ଭୁଟୁକାବାଦି ଗ୍ରାମର ମନୋଜ ନନ୍ଦଙ୍କର ପୁଅ ତାପସ ନନ୍ଦ(୨୨) ୨୦୨୧ ଜାନୁଆରି ୨୦ ତାରିଖରେ ପୁରୀର ଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ। ପରେ ଅନୁଗୁଳ କୋର୍ଟରେ ୨୨/୧/୨୦୨୧ ନୋଟାରୀରେ ରେଜିଷ୍ଟ୍ରି ବିବାହ କରିଥିଲେ। ଉଭୟଙ୍କ ପରିବାର ଘର ସେହି ଗ୍ରାମର ୫୦ ମିଟର ମଧ୍ୟରେ। କିନ୍ତୁ ବିବାହ ପରେ ପରେ ରେଖା ସହିତ ସ୍ବାମୀ ତାପସ ଏବଂ ଶାଶୁ ଓ ଶ୍ବଶୁର ଯୌତୁକ ଜନିତ କାରଣ ନେଇ ମନୋମାଳିନ୍ୟ ରହୁଥିଲା। ସେମାନେ ବାରମ୍ବାର ରେଖା ଉପରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ପରେ ପାରିବାରିକ ହିଂସା ବଢିଥିଲା।
ଗତ ୧୯ ତାରିଖ ରାତିରେ ଶ୍ବଶୁର ଘର ଲୋକେ ରେଖାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ବାପା ଘର ଅଜଣାତରେ ନେଇ ଯାଇଥିଲେ। ପରେ ରେଖାର ଅବସ୍ଥା ଗୁରୁତର ହେବାରୁ ବାରିପଦା ନେବା ରାସ୍ତାରେ କୁଳିଅଣା ପାଖରେ ପ୍ରାଣବାୟୁ ଉଡି ଯାଇଥିଲା। ରେଖାଙ୍କ ମୃତଦେହକୁ ବାରିପଦା ପିଆରଏମ ହସ୍ପିଟାଲ ନେଇଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ। ରେଖାଙ୍କ ମୃତ୍ୟୁ ହୋଇଛି ବୋଲି  ତାପସ ତାର ସମ୍ପର୍କୀୟଙ୍କ ଦ୍ବାରା ଅନ୍ୟ ଫୋନରେ ଶୁଶୁର ହିଂମାଶୁକୁ ଜଣାଇଥିଲେ। ସେଠାରେ ତାଙ୍କୁ ମିଛରେ କୁହାଗଲା ଝିଅକୁ ସାପ କାମୁଡିଛି। ସେଠାରେ ରେଖାଙ୍କ ବାପା ଦେଖିଲେ ଝିଅର କାନରୁ, ନାକରୁ ରକ୍ତ ବାହାରୁଛି, ବେକ ପାଖରେ ଆଘାତ ଲାଗିଛି।
ଝିଅର ଏଭଳି ଅବସ୍ଥା ଦେଖି ହିମାଂଶୁ, ତାଙ୍କର ପତ୍ନୀ ଏବଂ ଦୁଇ ଝିଅଙ୍କର ହୋସ ଉଡି ଯାଇଥିଲା। ତେଣୁ ସେ ନିଶ୍ଚିତ ଯେ ତାଙ୍କର ଝିଅକୁ ଯୋଜନାବଦ୍ଧ ଭାବେ ମାରି ଦିଆଯାଇଛି। ରେଖାଙ୍କ ବାପ ଘର ଓ ଶଶୁର ଘରଠାରୁ ଦୂରତା କମ ହୋଇଥିଲେ ବି ତାଙ୍କୁ ନ ଜଣାଇ ରାତିରେ ଝିଅକୁ ରାଇରଙ୍ଗପୁର ହସ୍ପିଟାଲ ଆଣିବା ଏବଂ ପରେ ବାରିପଦା ନେବା ଏକ ସନ୍ଦେହଜନକ ଘଟଣା। ଘଟଣାକୁ ନେଇ ରେଖାଙ୍କ ବାପା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ  ଝିଅକୁ ହତ୍ୟା କରା ଯାଇଥିବା ନେଇ ଜ୍ୱାଇଁ  ତାପସ, ସମୁଦି ମନୋଜ ନନ୍ଦ ଏବଂ ସମୁଦୁଣୀଙ୍କର ସମ୍ପୃକ୍ତି ଅଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।ଏକଥା ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ କହିଛନ୍ତି।
ସମ୍ବନ୍ଧିତ ଖବର