ଜୟପୁର: ସ୍ବାମୀଙ୍କ ଚିକିତ୍ସା କରିବାକୁ ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ଯାଇଥିଲେ ପତ୍ନୀ। ତେବେ ସେ ଶବ ହୋଇ ଫେରିଥିଲେ। ଏପରି ଏକ ଅଭାବନୀୟ ଓ ଦୁଃଖଦାୟକ ଘଟଣା ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଗତକାଲି ରାତିରେ ଘଟିଛି। ସ୍ଥାନୀୟ କୁମ୍ଭାରସାହି ଅଂଚଳର ମଙ୍ଗଳା ଜାନିଙ୍କର ଗୋଡ଼ ଭାଙ୍ଗିଯାଇଥିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ରହିଥିଲେ। ତାଙ୍କ ପତ୍ନୀ ଭାନୁ ଜାନୀ ପାଖରେ ରହି ସ୍ବାମୀଙ୍କର ଚିକିତ୍ସା କରାଉଥିଲେ। ଗତକାଲି ରାତିରେ ସ୍ବାମୀ ମଙ୍ଗଳାଙ୍କ ପାଖରେ ଭାନୁ ଶୋଇଥିଲେ।
ଗତକାଲି ରାତି ୧୧ଟା ବେଳେ ଅଚାନକ ଭାବେ ଖଟରୁ ତଳକୁ ଖସି ପଡ଼ିଥିଲେ ଭାନୁ। ଅନ୍ୟ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମାନେ ତୁରନ୍ତ ଡାକ୍ତରଙ୍କୁ ଡାକି ଦେଖାଇଥିଲେ। ସେତେବେଳକୁ ଭାନୁଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଏବଂ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଜି ଏ ସଂପର୍କରେ ସୂଚନା ପାଇବା ପରେ ସାହି ବାସିନ୍ଦା ଓ କାଉନସିଲର ସିମାଂଚଳ (ବାବୁ)ବିଷୋଇ ଡାକ୍ତରଖାନାକୁ ଯାଇଥିଲେ। କାହିଁକି ଓ କେଉଁ ପରିସ୍ଥିତିରେ ସୁସ୍ଥ ରହିଥିବା ଭାନୁ ଖଟରୁ ଖସି ମୃତ୍ୟୁ ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ଯାଂଚ କରିବାକୁ କାଉନସିଲର ଦାବି କରିଥିଲେ।
ଜୟପୁର ସଦର ଥାନା ପୁଲିସ ଏକ ଅପମୃତ ମାମଲା ରୁଜୁ କରି ମରଶରୀରର ବ୍ୟାବଛେଦ କରାଇ ସାହିବାସିନ୍ଦା ଓକାଉନସିଲରଙ୍କୁ ହସ୍ତାନ୍ତର କରିଥିଲେ। ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ସଦରଥାନା ଆଇଆଇସି ଇଶ୍ବର ତାଣ୍ଡି। ମଙ୍ଗଳା ଜାନି ପୂର୍ବରୁ ଶ୍ରମିକ ଭାବେ କାମ କରି ଆସୁଥିଲେ। ତେବେ ଗୋଡ ଭାଙ୍ଗିବା ପର ଠାରୁ ସେ କିଛି କାମ ନ କରି ଘରେ ରହୁଥିବା କହିଛନ୍ତି କାଉନସିଲର ଓ ସାହି ବାସିନ୍ଦା। ମୃତ ଭାନୁ ହିଁ ୧୪ବର୍ଷ, ୧୦ବର୍ଷ ଓ ୮ବର୍ଷର ଏଭଳି ତିନୋଟି ଝିଅ ଓ ସ୍ବାମୀର ଭରଣପୋଷଣ ଦାୟିତ୍ବ ନେଇ କାମ କରି ପରିବାର ଚଳାଉଥିଲେ। ଏବେ ଭାନୁର ମୃତ୍ୟୁ ପରେ ତିନି ପିଲା ମା’ ଛେଉଣ୍ଡ ହେବା ସହ ଚଳିବା ମୁସ୍କିଲ। ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି କାଉନସିଲର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)