ବାଲିଆପାଳ : ବାଲି ଭିତରୁ ମିଳିଲା ମହିଳାଙ୍କ ମୃତଦେହ!

ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଯୁବକ ଅଟକ, ଖବର ପାଇ ଆସିବାବେଳେ ସ୍ବାମୀ ଦୁର୍ଘଟଣାରେ ଗୁରୁତର

ବାଲିଆପାଳ/କାଳିପଦା : ରବିବାର ସକାଳେ ଘର ପାଖ ପାନବରଜରେ ପାଣି ଦେବାକୁ ଯାଇଥିଲେ ବାଲିଆପାଳ ଥାନା ଚୌମୁଖ ଗ୍ରାମର ସୋନାଲି ପାତ୍ର (୨୪)। ହେଲେ ଦୀର୍ଘ ସମୟ ଧରି ଫେରିଲେନି। ଘର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରି ଏକ ବାଲିଗଦା ତଳୁ ସୋନାଲିଙ୍କ ମୃତଦେହ ଉଦ୍ଧାର କରିବା ପରେ ଗାଁରେ ଆଲୋଡନ ଖେଳିଯାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ସନ୍ଦେହରେ ଜଣେ ଯୁବକକୁ ଅଟକ ରଖିଛି। ସେପଟେ ମହିଳାଙ୍କ ସ୍ବାମୀ ଖବର ପାଇ ଆସୁଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଚୌମୁଖ ଗ୍ରାମର ଜନ୍ମେଜୟ ପାତ୍ରଙ୍କ ପତ୍ନୀ ସୋନାଲି (୨୪) ଆଜି ସକାଳ ପ୍ରାୟ ୯ଟାରେ ଘର ନିକଟସ୍ଥ ପାନବରଜରେ ପାଣି ଦେବାକୁ ଯାଇଥିଲେ। ତେବେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ସେ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ ପାନବରଜକୁ ଯାଇଥିଲେ। ପାନବରଜ ନିକଟରେ ଗୋଟିଏ ସ୍ଥାନରେ କିଛି ପୋତା ଯାଇଥିବା ଦେଖି ବାଲି ଆଡ଼େଇବାରୁ ପ୍ରଥମେ ସୋନାଲିଙ୍କ ଗୋଡ଼ ଦୁଇଟି ଦେଖିବାକୁ ମିଳିଥିଲା। ଗୋଡ଼ଧରି ଟାଣିବାରୁ ତାଙ୍କ ମୃତଦେହ ବାଲି ଭିତରୁ ବାହାରିଥିଲା। ଖବର ପାଇ ବହୁ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ। ସୋନାଲିଙ୍କ ଡାହାଣ ଗୋଡ଼ ଆଣ୍ଠୁ ତଳେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଗାଁ ଲୋକେ ସନ୍ଦେହ କରିଥିଲେ। ଯେଉଁ ସ୍ଥାନରୁ ସୋନାଲିଙ୍କ ମୃତଦେହ ମିଳିଥିଲା, ପାଖରେ ଉକ୍ତ ଗ୍ରାମର ମହେଶ୍ୱର ବେହେରା ନାମକ ଜଣେ ଯୁବକ ତାଙ୍କ ବାଡ଼ିରେ ମାଟି ହାଣୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ତାଙ୍କୁ ସନ୍ଦେହରେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମହେଶ୍ୱରକୁ ଅଧିକ ପଚରାଉଚୁରା ପାଇଁ ଥାନାରେ ଅଟକ ରଖଯାଇଛି।

ସୋନାଲିଙ୍କ ସ୍ବାମୀ ଜନ୍ମେଜୟ ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ଗାଁରେ ଟ୍ରାକ୍ଟର ଚଳାନ୍ତି। ଏହି ଦମ୍ପତିଙ୍କର ୩ ବର୍ଷର ଏକ ପୁଅ ରହିଛି। ଖୁବ୍‌ଶୀଘ୍ର ଦୋଷୀ ଧରାପଡ଼ିବ ବୋଲି ବାଲିଆପାଳ ଥାନା ଆଇଆଇସି ବିମଳ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର