ଡାକ୍ତରଙ୍କୁ ଡାକି ଡାକି ଶୁଣିଲେନି: ବାହାରେ ୪୫ ମିନଟ ଅପେକ୍ଷା କରି ଅଟୋରେ ପ୍ରସବ କଲେ ମହିଳା

ବେଗୁନିଆପଡ଼ା : ଡାକ୍ତରଙ୍କୁ ଡାକିଲେ। କାକୁତି ମିନତି ବି ହେଲେ। କିନ୍ତୁ କେହି ଶୁଣିଲେନି। ଶେଷରେ ଡାକ୍ତରଙ୍କ ସେବା ନପାଇ ଶୀତ ରାତିରେ ଅଟୋ ଭିତରେ ସନ୍ତାନ  ପ୍ରସବ କରିଛନ୍ତି ଜଣେ ପ୍ରସୂତି। ‘ମମତା’ ଯୋଜନାରେ ଆନୁଷ୍ଠାନିକ ପ୍ରସବ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଥିବା ବେଳେ ବେଗୁନିଆପଡ଼ା ରାହାଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଦୃଶ୍ୟ। ଏକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଦିନକୁ ଦିନ ବଢ଼ିବଢି ଚାଲିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଅଙ୍ଗରଗାଁର କାର୍ତ୍ତିକ ସେଠୀଙ୍କ ପତ୍ନୀ ଝୁନୁ ସେଠୀ ନିଜ ବାପା ଘର କୁମ୍ଭରଗାଁରୁ ଅଟୋ ଯୋଗେ ରାହାଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସବ ପାଇଁ ରାତି ୧ଟା ସମୟରେ ଯାଇଥିଲେ। ସାଙ୍ଗରେ ଆଶାକର୍ମୀ ଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ଝୁନୁ ଅଟୋ ଭିତରେ ଥିବା ବେଳେ ଅଟୋ ଚାଳକ ଡାକ୍ତରଙ୍କୁ ଡାକିଥିଲେ ବି କେହି ହେଲେ କବାଟ ଖୋଲିନଥିଲେ। ଏପଟେ ବିକଳ ହୋଇ ଝୁନୁ ଚିତ୍କାର କରୁଥିଲେ ବି ସମୟ ବିତିଯାଉଥିଲା। ପ୍ରାୟ ୪୫ ମିନିଟ  ଅପେକ୍ଷା କରିବା ପରେ ଶେଷରେ ଝୁନୁ ଅଟୋରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ଏହା ପରେ ଅଟୋ ଚାଳକଙ୍କ ପାଟିରେ ଡାକ୍ତରଙ୍କ କବାଟ ଖୋଲିଥିଲେ ଓ ଚିକିତ୍ସା କରିଥିଲେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସ୍ବେଚ୍ଛାସେବୀ ଅନୁଷ୍ଠାନ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟିରେ ଅବ୍ୟବସ୍ଥା ଲାଗିରହିଛି। ଟ୍ରଷ୍ଟ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ କୌଣସି ସମାଧାନ କରିପାରୁନାହାନ୍ତି ବୋଲି ବ୍ୟାପକ ଅଭିଯୋଗ ହେଉଛି। ଦୀର୍ଘ ଦିନ ହେବ ଏଠାରେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଏହି ମେଡିକାଲକୁ ତୁରନ୍ତ ସରକାର ହାତକୁ ନେବା ପାଇଁ ଦାବି ହେଉଛି। ଏହି ପ୍ରକାର ଅବ୍ୟବସ୍ଥା ଯୋଗୁଁ ପ୍ରସୂତି ସୁମଣ୍ଡଳ ମେଡିକାଲ କିମ୍ବା କୋଦଳା ମେଡିକାଲକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦିନକୁ ଦିନ ଭରସା ତୁଟୁଛି। ଏଣୁ ପ୍ରଶାସନ ତୁରନ୍ତ ଏହାର ପରିଚାଳନା ପାଇଁ ଏହାକୁ ସରକାରୀ ସ୍ତରରେ ହସ୍ତାନ୍ତର କରାଯିବା ଆବଶ୍ୟକ ହୋଇପଡିଛି।
ସମ୍ବନ୍ଧିତ ଖବର