ବସଷ୍ଟାଣ୍ଡ ଶୌଚାଳୟ କଡ଼ରେ ଛୁଆ ଜନ୍ମ କଲେ ମହିଳା, ସହଯୋଗ କଲେ ବସ୍ କର୍ମଚାରୀ

ସୁନ୍ଦରଗଡ଼: ଶୁକ୍ରବାର ମଧ୍ଯାହ୍ନରେ ସୁନ୍ଦରଗଡ଼ ଲୁହୁରାଢିପାସ୍ଥିତ ବସଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ବସଷ୍ଟାଣ୍ଡ ଶୌଚାଳୟ କଡ଼ରେ ଜଣେ ଗର୍ଭବତୀ ମା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ କୌଣସି ପରୀକ୍ଷା ପାଇଁ ଆସୁଥିବା ବେଳେ ଏ ଘଟଣା ଘଟିଛି। ବସ୍ କର୍ମଚାରୀ ସହଯୋଗର ହାତ ବଢାଇ ପ୍ରସୂତି ସହ ନବଜାତକୁ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାସ୍ଥିତ ମା ଓ ଶିଶୁ ହସ୍ପଟାଲରେ ଭର୍ତ୍ତି କରାଇଛନ୍ତି। ପ୍ରସୂତି ଜଣକ ହେଲେ ହେମଗିର ବ୍ଲକ୍ ଡୁରୁବଗା ପଞ୍ଚାୟତ କତରବଗା ଗାଁର ସୁମିତ୍ରା ସାଏ। ମା ଓ ନବଜାତଙ୍କ ସ୍ବାସ୍ଥ୍ଯାବସ୍ଥା ଠିକ୍ ଅଛି।

ଘଟଣାଟି ଥିଲା ଠିକ୍ ଏମିତି। ମଧ୍ଯାହ୍ନରେ ହେମଗିର ଅଞ୍ଚଳରୁ ଏକ ବସରେ ଗର୍ଭବତୀ ସୁମିତ୍ରା ତାଙ୍କ ଶାଶୂ ସହ ସୁନ୍ଦରଗଡ଼ ଆସି ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗର୍ଭବେଦନା ଆରମ୍ଭ ହୋଇ ଯାଇଥିଲା। ତଳେ ଗଡି ସେ ଛଟପଟ ହେଉଥିବାବେଳେ ଉପସ୍ଥିତ ବସ୍ କର୍ମଚାରୀ ଦୌଡି ଆସିଥିଲେ। ସେ ଗର୍ଭବେଦନାରେ ଛଟପଟ ହେଉଥିବା ଜାଣି ଆମ୍ବୁଲାନ୍ସକୁ କଲ୍ କରିବା ସହ ଯଥା ସମ୍ଭବ ସହଯୋଗ ଯୋଗାଇ ଦେଇଥିଲେ। ଆମ୍ବୁଲାନ୍ସ ପହଞ୍ଚିଲା ବେଳକୁ ସୁମିତ୍ରାଙ୍କ ଛୁଆ ଜନ୍ମ ହୋଇସାରିଥିଲା। ପରେ ଆମ୍ବୁଲାନ୍ସ ଓ ବସ୍ କର୍ମଚାରୀ ମା ଓ ନବଜାତକୁ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ଯ ଡାକ୍ତରଖାନା ନେଇଯାଇଥିଲେ। ପ୍ରକାଶ ଥାଉକି, ନିରାପଦ ମାତୃତ୍ବ ସହ ମା ଓ ନବଜାତ ଶିଶୁର ସୁରକ୍ଷା ପାଇଁ ସରକାର ବହୁବିଧ ଯୋଜନା କାର୍ଯ୍ଯକାରୀ କରୁଛନ୍ତି। ଏହା ଛଡା ଗର୍ଭବତୀ ଓ ପ୍ରସୂତିଙ୍କ ସ୍ବାସ୍ଥ୍ଯାବସ୍ଥାର ଯାଞ୍ଚ ଓ ନିୟମିତ ସେବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ସ୍ବତନ୍ତ୍ର ଭାବେ ‘ମାତୃଜ୍ଯୋତି’ କାର୍ଯ୍ଯକ୍ରମ ଚାଲିଛି। ଏହା ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ଥର ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ପରୀକ୍ଷା ସେବା ଯୋଗାଇ ଦିଆଯାଉଥିବା କହୁଛି ପ୍ରଶାସନ। ଗର୍ଭବତୀଙ୍କ ନିରୀକ୍ଷଣ ଓ ସେବା ପାଇଁ ଏତେ ସବୁ ବ୍ଯବସ୍ଥା ଥିବା ସତ୍ତ୍ବେ କେଉଁସ୍ଥିତିରେ କୁତରବଗାର ଏ ମହିଳା ଜଣକ ବସ ଯାତ୍ରା କରି ବସଷ୍ଟାଣ୍ଡରେ ଛୁଆ ଜନ୍ମ କଲେ ତାକୁ ନେଇ ଉଠିଛି ପ୍ରଶ୍ନ।

ସମ୍ବନ୍ଧିତ ଖବର