ରେଢ଼ାଖୋଲ: ମେଡିକାଲ ଚେକଅପ୍ ପରେ ଘରକୁ ଫେରୁଥିବା ସମୟରେ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ଆଜି ଜଣେ ପ୍ରସୂତୀ ବସଷ୍ଟାଣ୍ଡରେ ପ୍ରସବ କରିଛନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବସଷ୍ଟାଣ୍ଡରେ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଅଂଚଳର ଜଣେ ମହିଳା ମୃତ ଶିଶୁକୁ ଜନ୍ମ ଦେବା ପରେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କନ୍ଦରା ଗ୍ରାମର କଳ୍ପନା ବେହେରା (୨୪) ମେଡିକାଲ ଚେକଅପ ପାଇଁ ଆଜି ଦିନ ବେଳା ବସରେ ବୁର୍ଲା ଯାଇଥିଲେ । ସେଠାରେ ସେ ଡାକ୍ତରଙ୍କ ପରାମର୍ଶ ପରେ ଘରକୁ ଫେରୁଥିଲେ । କିନ୍ତୁ ମହିଳା ଜଣକ ରେଢ଼ାଖୋଲ ପହଂଚିବା ପରେ ରାତି ପ୍ରାୟ ୯ଟା ବେଳକୁ ପ୍ରସବ ଜନିତ ଯନ୍ତ୍ରଣା ବଢ଼ିବାରେ ଲାଗିଲା । ସେ ବସଷ୍ଟାଣ୍ଡରେ ହିଁ ଏକ ଶିଶୁ ଜନ୍ମ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଯେ, ନବଜାତର ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ରୋଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରିପୋର୍ଟ ଲେଖାଯିବା ବେଳକୁ ଳ୍କଳ୍ପନାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ପୁଲିସ ଶିଶୁର ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ସହ ଘଟଣାର ତଦନ୍ତ କରୁଛି ।