ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଜଣେ ଗର୍ଭବତୀଙ୍କୁ ଦୋଳାରେ ନଈ ପାର କରିବା ପରେ ପ୍ରସବ ବେଦନା ସହ୍ୟ କରି ନପାରି ନଈ କୂଳରେ ଏକ କନ୍ୟା ସନ୍ତାନକୁ ପ୍ରସବ କରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ପାଟଖଳିଆ ଅଞ୍ଚଳରେ। ପାଟଖଳିଆ ପଞ୍ଚାୟତର ଗୋର୍ ଝରିଆ ଗ୍ରାମର ମହେଶ୍ବର ସାନ୍ତାଙ୍କ ପତ୍ନୀ ନବିନା ସାନ୍ତାଙ୍କୁ ଗତକାଲି ରାତିଠାରୁ ପ୍ରସବ ବେଦନା ଆରମ୍ଭ ହୋଇଥିଲା ହେଲେ ସେ ରାତିରେ ହସ୍ପିଟାଲ୍ ଆଣିବାର ସମସ୍ୟା ଦେଖାଦେବାରୁ ଆଜି ସକାଳେ ୧୦୨ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଧରି ଡ୍ରାଇଭର ଟୁନା ଚୌହାନ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲେ କିନ୍ତୁ ଗୋର ଝାରିଆ ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିବାରୁ ଗାଁ ଠାରୁ ୧ କିମି ଦୂର ନଦୀ ନିକଟରେ ଅଟକି ରହିଲା।
ଅନ୍ୟପକ୍ଷରେ ଏପଟେ ନାବିନାଙ୍କୁ ପ୍ରସବ ବେଦନା ବୃଦ୍ଧି ପାଇବାରୁ ପରିବାର ଲୋକେ ସ୍ଥାନୀୟ ଆଶା କର୍ମୀ ଜେମାମଣି ଧୁରୁଆଙ୍କ ସହଯୋଗରେ ସେଠାରୁ ଏକ ଖଟିଆରେ ଦୋଳା କରି ଗର୍ଭବତୀଙ୍କୁ ବୋହି ଆଣିଥିଲେ । ନଈ କୂଳରେ ଅପେକ୍ଷା କରିଥିବା ୧୦୨ ଆମ୍ବୁଲାନ୍ସ ଡ଼୍ରାଇଭର ଟୁନା ଚୌହାନ ନଇରେ ଖଟିଆ ରେ ବୋହି ଆଣୁଥିବା ଦୃଶ୍ୟ ଦେଖି ନିଜେ ନଈ ମଧ୍ୟକୁ ଯାଇ ଦୋଳା ବୋହିବାରେ ସହାଯ୍ୟ କରି ନଦୀ ପାର କରାଇଥିଲେ। ନଈ ପାର ପରେ ନଦୀ କୂଳରେ ହିଁ ନାବୀନା ପ୍ରସବ ବେଦନା ସହି ନପାରି ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ସହାୟତାରେ ବଇଦ ପଡ଼ା ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଉଭୟ ନବଜାତ ଶିଶୁ କନ୍ୟା ଓ ପ୍ରସୂତିଙ୍କୁ ଆଣି ସେଠାରୁ ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
/sambad/media/post_attachments/wp-content/uploads/2020/09/b735e95e-cf81-4cf1-bf1c-3cac7e9874ce-1.jpg)
ପ୍ରସୂତୀ ଓ ଶିଶୁ କନ୍ୟାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡକ୍ଟର ମନିସ୍ ପୁରୋହିତ ପ୍ରକାଶ କରିଛନ୍ତି । ନବିନାର ହିମୋଗ୍ଲୋବିଁନ୍ ୫ ମିମି ଥିବା ଏବଂ ତାଙ୍କୁ ରକ୍ତର ଆବଶ୍ୟକ ପଡୁଥିବାରୁ ତାଙ୍କୁ ନବରଙ୍ଗପର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ ଚିକିତ୍ସା ପାଇଁ ରିଫେର କରାଯାଇଥିଲେ ମଧ୍ୟ ନବିନାଙ୍କ ସ୍ବାମୀ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଓ ସେ ଅର୍ଥ ସମସ୍ୟା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ସ୍ଥାନାନ୍ତର କରାଯାଇପାରି ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ କଥା କହୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବାରମ୍ବାର ଏପରି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି ।
ତେବେ ଏହି ସମସ୍ୟା ଯେ ଆଜିର ନୁହଁ । ଗୋର ଝରିଆ, ଭେଲୁଆକୋଟ, ଗୋପୀ ସାହି, ଜାମ ପାଣି ଆଦି ଗ୍ରାମର ଲୋକେ ଗୋର ଝରୀଆ ନଦୀରେ ଏକ ସେତୁ ନିର୍ମାଣ କରିବା ନିମନ୍ତେ ଦାବି କରି ଆସୁଥିଲେ ହେଁ ସେମାନଙ୍କ ଦାବି ପୁରଣ ହୋଇପାରୁ ନାହିଁ । ଯାହାଫଳରେ ବର୍ଷା ଦିନ ଆସିଲେ ଏହି ଅଞ୍ଚଳର ଜନସାଧାରଣ ବ୍ଲକ୍ ମୁଖ୍ୟାଳୟ ସହ ଯୋଗ ଯୋଗାଯୋଗ ହୋଇପାରୁ ନାହିଁ । ବର୍ଷା ଦିନ ଆସିଲେ ରୋଗୀ ଓ ଗର୍ଭବତୀଙ୍କୁ ଏପରି ଖଟିଆରେ ବୁହା ହୋଇ ନଈ ପାର କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/eb0485a2-33cf-4d4a-9923-2dd572d9d250.jpg)