ମହିଳା ଦିବସରେ ବିଡ଼ମ୍ବନା : କମାଣ୍ଡରରେ ଜନ୍ମନେଲା ଶିଶୁକନ୍ୟା

କୋଟିଆରେ ପହଞ୍ଚିଲାନି ୧୦୨ ଆମ୍ବୁଲାନ୍ସ, ବଲାଙ୍ଗୀରରେ ଅଳିଆଗଦାରୁ ଶିଶୁ କନ୍ୟା ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

ପଟ୍ଟାଙ୍ଗି : କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ମିଳିଲା ନାହିଁ ୧୦୨ ଆମ୍ବୁଲାନ୍ସ ସେବା। ଯାହାଫଳରେ କମାଣ୍ଡରରେ ପ୍ରସବ ହୋଇଛି ଶିଶୁକନ୍ୟା। ମହିଳା ଦିବସରେ ଜଣେ ମହିଳା ଏମିତି ହଟହଟା ହେବା ଘଟଣା ଜିଲ୍ଲାର ଚିତ୍ରକୁ ମଳିନ କରିଛି। ସେହିପରି କୋଟିଆର ବାସ୍ତବତା ମଧ୍ୟ ଏହି ଘଟଣା ସର୍ବସାଧାରଣରେ ଉଜାଗର କରିଛି।

କୋଟିଆ ପଂଚୟତ ଅନ୍ତର୍ଗତ ତଳସେମ୍ବି ଗ୍ରାମର ମୁକେୟା ହାରଡ଼ାଙ୍କ ପତ୍ନୀ ଗୁଣ୍ଡୁଲି ହାରଡ଼ା ଆଜି ସକାଳୁ ସକାଳୁ ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ପରିବାର ଲୋକ ୧୦୨ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରିଥିଲେ। ଖବର ପାଇବା ପରେ ଗାଁ ଅଭିମୁଖେ ଆମ୍ବୁଲାନ୍ସ ବାହାରିଥିଲା। କିନ୍ତୁ ଗାଁକୁ ନଯାଇ ଅଧା ରାସ୍ତାରୁ ପୁଣି ସ୍ବାସ୍ଥ୍ୟକେନ୍ଦ୍ରକୁ ଚାଲି ଯାଇଥିଲା। ଅନ୍ୟପଟେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ଏମିତି ସ୍ଥିତିରେ ପରିବାର ଲୋକ ବାଧ୍ୟ ହୋଇ ଗୋଟିଏ କମାଣ୍ଡର ଭଡ଼ା କରି ଗର୍ଭବତୀଙ୍କୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ର ଆଣୁଥିଲେ। ତେବେ ଗାଁରୁ ପ୍ରାୟ ୫ଶହ ମିଟର ଅତିକ୍ରମ କରିବା ପରେ ଯନ୍ତ୍ରଣା ଅସହ୍ୟ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ଏଏନଏମ୍ ଏବଂ ଅଙ୍ଗନବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି କମାଣ୍ଡରରେ ହିଁ ଗୁଣ୍ଡୁଳି ଶିଶୁକନ୍ୟାକୁ ପ୍ରସବ କରିଥିଲେ। ଉଭୟ ପ୍ରସୂତି ଏବଂ ନବଜାତ ଶିଶୁ ସୁସ୍ଥ ରହିଥିବା ସୂଚନା ମିଳିଛି।

ଅଳିଆଗଦାରୁ ଶିଶୁ କନ୍ୟା ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
ବଲାଙ୍ଗୀର : ସାରା ବିଶ୍ୱ ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଏଭଳି ଦିନରେ ଅଲୋଡ଼ା ହୋଇଛି ଶିଶୁକନ୍ୟା। ବଲାଙ୍ଗୀର ସହରରେ ଦେଖିବାକୁ ମିଳିଛି ଏଭଳି ଏକ ଲଜ୍ଜାଜନକ ଘଟଣା। ତୁଳସୀନଗର ଆୟୁର୍ବେଦିକ କଲେଜ ପଛପଟେ ଥିବା ଡ୍ରେନ୍‌ କଡ଼ ଅଳିଆଗଦାରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଶିଶୁଟିକୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରବିବାର ସଂଧ୍ୟା ପ୍ରାୟ ୫ଟାରେ କେହି ଜଣେ ଏହି ନବଜାତ ଶିଶୁକନ୍ୟାକୁ ଆଣି ଡ୍ରେନ୍‌ ଭିତରେ ପକାଇ ଦେଇ ଚାଲିଯାଇଥିଲା। କିଛି ଯୁବକ ଏହା ଦେଖି ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ। ହେଲେ କେହି ବି ଉଦ୍ଧାର କରୁନଥିଲେ। ଦେବଦୂତ ଭଳି ଆଲୋକ ଖରସେଲ ନାମକ ଜଣେ ଯୁବକ ଆସି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ନିକଟସ୍ଥ ଆୟୁର୍ବେଦିକ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁକନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର