୧୦ ବର୍ଷ ହେଲା ମିଳିନି ମେଚ୍ୟୁରିଟି ରାଶି, ମହିଳା ଜମାକାରୀଙ୍କ ଆତ୍ମହତ୍ୟା ଧମକ

ଛତ୍ରପୁର : ମେଚ୍ୟୁରିଟି ରାଶି ଏଯାବତ୍ ମିଳି ନଥିବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ସାହାରା ଇଣ୍ଡିଆ ଅଫିସ୍ ଭିତରେ ଜଣେ ମହିଳା ଜମାକାରୀ ଆତ୍ମହତ୍ୟା ଧମକ ଦେଇଛନ୍ତି। ମହିଳାଜଣକ ହେଲେ, ଛତ୍ରପୁର ବ୍ଲକ୍ ଅଧୀନ ବରଙ୍ଗ ଗ୍ରାମର ସରୋଜା ନାହାକ। ସରୋଜାଙ୍କ ଅଭିଯୋଗ ଅନୁସାରେ, ୨୦୦୯ରେ ସେ ସାହାରା ଇଣ୍ତିଆ କମ୍ପାନିରେ ଦୁଇଟି ଜମାଖାତା ଖୋଲିଥିଲେ। ଏଥିପାଇଁ ସ‌େ ୮ ହଜାର ଓ ୭ଟଙ୍କା ‌ଡିପୋଜିଟ୍ କରିଆସୁଥିଲେ।
ସର୍ତ୍ତାବଳୀ ଅନୁସା‌ରେ, ସେ ୨୦୧୯ ଅନୁସାରେ ୨୧ହଜାର ୭୦୦ ଟଙ୍କା ଓ ୨୪ ହଜାର ଟଙ୍କା ମେଚ୍ୟୁରିଟି ରାଶି ପାଇବା କଥା। ହେଲେ କମ୍ପାନିର ମନମୁଖି ନୀତି ଯୋଗୁଁ ତାଙ୍କୁ ଆଜିଯାଏ ଏହି ଅର୍ଥରାଶି ମିଳିନି। ବର୍ତ୍ତମାନ ଝିଅର ବାହାଘର ପାଇଁ ଟଙ୍କା ଦରକାର ପଡ଼ିବାରୁ ସେ ଛତ୍ରପୁରସ୍ଥିତ ସାହାରା କାର୍ଯ୍ୟାଳୟକୁ ଚକ୍କର୍ କାଟୁଛନ୍ତି। ଶାଖା ପରିଚାଳକଙ୍କ ସମେତ ବହୁ କର୍ମଚାରୀଙ୍କୁ ଅବଗତ କରିବା ପରେ ମଧ୍ୟ ସୁଫଳ ମିଳୁନି। ଶେଷରେ ଆଜି ସରୋଜା ହାତରେ ଏକ ରଶି ଧରି ଆସିବା ସହ ଟଙ୍କା ନଦ‌େଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ।
ସେହିପରି ଚିକଲଖଣ୍ତି ଗ୍ରାମର ଡି.କାନ୍ତାମ୍ମା ମଧ୍ୟ ୨୦୧୮ ମସିହାରେ ୩୩ ହଜାର ଟଙ୍କା ବାନ୍ଧିଥିଲେ। ୨୦୨୦ ମସିହାରେ ସେ ୩୮ ହଜାର ଟଙ୍କା ପାଇବାକୁ ଥିଲେ ବି ତାହା ଏଯାବତ୍ ତାଙ୍କୁ ମିଳି ନଥିବାରୁ ସେ ଅଫିସରେ ପହଞ୍ଚି ହୋହଲ୍ଲା କରିଥିଲେ। ଅନ୍ୟପକ୍ଷରେ ଶାଖା ପରିଚାଳନା ସୁଶୀଲ ଦାସ କହିଛନ୍ତି, ସାହାରର ରିୟଲ୍ ‌ଇଷ୍ଟେଟ୍ ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି। ଫଳରେ ଜମାକାରୀଙ୍କ ମେଚ୍ୟୁରିଟି ରାଶି ପ୍ରଦାନରେ ବିଳମ୍ବ ହେଉଛି। ତେବେ କେବଳ କାନ୍ତାମ୍ମା ଓ ସରୋଜା ନୁହଁନ୍ତି, ତାଙ୍କ ଭଳି ଅନେକ ଜମାକାରୀ ଲକ୍ଷାଧିକ ଟଙ୍କା ନପାଇ ମାନସିକ ଚିନ୍ତା ଭିତରେ ରହିଛନ୍ତି।
ସମ୍ବନ୍ଧିତ ଖବର