ଚିକିତ୍ସା ବିଳମ୍ବରୁ ମହିଳାଙ୍କ ମୃତ୍ୟୁ, ବଢୁଛି ଅଣକୋଭିଡ୍ ରୋଗୀଙ୍କ ଦୁର୍ଦଶା
୨ ମାସ ପୂର୍ବରୁ ଅଂଶୁଘାତରେ ଆଖି ବୁଜିଥିଲେ ସ୍ବାମୀ, ଅନାଥ ହୋଇଗଲେ ୪ ନାବାଳକ ପୁଅଝିଅ
ସମ୍ବଲପୁର: କୋଭିଡ୍ ଭୟରେ ଭିମ୍ସାରରେ ଅଣକୋଭିଡ୍ ରୋଗୀଙ୍କୁ ମିଳିପାରୁନି ତ୍ବରିତ ଚିକିତ୍ସା। ଏଥିଯୋଗୁଁ ହୃଦଘାତର ଶିକାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ସହର ରାଣୀବନ୍ଧପଡ଼ାର ମନିଷା ଥାପା (୧୬) କରିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ବେଳେ ତାଙ୍କ ମା’ ସନ୍ତୋଷିନୀ ଥାପାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ସେତେବେଳେ ସେମାନେ ବରଗଡ଼ ଜିଲ୍ଲା ବଡ଼ଟିକରା ସ୍ଥିତ ନିଜ ମାମୁଘରେ ଥିଲେ। ମାଙ୍କୁ ତୁରନ୍ତ ବରଗଡ଼ ଖେଦାପାଲିସ୍ଥିତ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଉପଚାର କରାଯାଇ ବୁର୍ଲା ବଡ ଡାକ୍ତରଖାନାକୁ ପଠାଯାଇଥିଲା। ଭୋର ୫ଟାରେ ସେମାନେ ବୁର୍ଲା ବଡ଼ଡାକ୍ତରଖାନା ପହଞ୍ଚିଲେ। କିନ୍ତୁ କୋଭିଡ୍ ଟେଷ୍ଟ କରା ନ ଯିବା ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ନୁହେଁ; ବୋଲି ଆଶୁଚିକିତ୍ସା ବିଭାଗରେ କାର୍ଯ୍ୟରତ କର୍ମଚାରୀ କହିଥିଲେ। ଏହାର ୧ ଘଣ୍ଟା ପରେ କୋଭିଡ୍ ପରୀକ୍ଷା କରାଗଲ। ଅଧଘଣ୍ଟା ପରେ ରିପୋର୍ଟ ନେଗେଟିଭ୍ ଆସିଲା। ସକାଳ ୮ଟାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ହିଁ ସନ୍ତୋଷିନୀଙ୍କ ମୃତ୍ୟୁ ହୋଇଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବୁର୍ଲାରେ ପହଞ୍ଚିବା ବେଳେ ସନ୍ତୋଷିନୀଙ୍କ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଥିଲା। ମାତ୍ର ଚିକିତ୍ସାରେ ବିଳମ୍ବ ହିଁ ତାଙ୍କ ମୃତ୍ୟୁର କାରଣ ବୋଲି ପରିବାର ଏବଂ ରାଣୀବନ୍ଧପଡ଼ା ଲୋକେ ଅଭିଯୋଗ କରିଛନ୍ତି। ୨ ମାସ ପୂର୍ବରୁ ଅଂଶୁଘାତରେ ସନ୍ତୋଷିନୀଙ୍କ ସ୍ୱାମୀ ସନ୍ତୋଷ ଥାପ୍ପାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେଣୁ ତାଙ୍କର ୪ ପୁଅଝିଅ ଏବେ ବାପାମା’ଛେଉଣ୍ଡ ହୋଇ ଅନାଥ ହୋଇଯାଇଛନ୍ତି। ବଡ଼ ଝିଅ ମନିଷା ଯୁକ୍ତ ଦୁଇ, ଦ୍ୱିତୀୟ ଝିଅ ରିଆ ନବମ, ପୁଅ ଶିବା ଅଷ୍ଟମ ଏବଂ ସାନ ପୁଅ ଶୁଭମ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ସେମାନଙ୍କ ଅବସ୍ଥା ଓ ଭବିଷ୍ୟତ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ବୋଲି ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆର୍ଏମସି କର୍ମଚାରୀ ଭାବରେ କାର୍ଯ୍ୟରତ ସନ୍ତୋଷ ଥାପ୍ପା କାର୍ଯ୍ୟରତ ଅବସ୍ଥାରେ ହିଁ ଅଂଶୁଘାତର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ୨ ମାସ ପରେବି ପରିବାରକୁ ଅଂଶୁଘାତ ମୃତ୍ୟୁଜନିତ ଆର୍ଥିକ ସହାୟତା ମିଳି ନାହିଁ।