ସର୍ପାଘାତ ପାଇଁ ଝଡ଼ାଫୁଙ୍କା: ମହିଳାଙ୍କ ମୃତ୍ୟୁ

ପାଟଣା : ବିଜ୍ଞାନର ଅଗ୍ରଗତି ଉତ୍ତୁଙ୍ଗ ଶିଖର ଛୁଇଁ ଥିବାବେଳେ ଆଜି ବି ଗାଁ ଗହଳିର ଲୋକେ ଅନ୍ଧବିଶ୍ବାସରୁ ମୁକୁଳି ପାରିନାହାନ୍ତି। ଏଭଳି ଅନ୍ଧବିଶ୍ବାସ ଯୋଗୁଁ ଜଣେ ମହିଳାଙ୍କର ଜୀବନ ଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭାଲିଆଡାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ମୃତ ମହିଳା ହେଲେ ଭାଲିଆଡାଳର ନଳିତା ଦଳଦସିଆ(୩୦)। ଗତକାଲି ରାତି ୯ଟାରେ ନଳିତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଡାକ୍ତରଖାନା ନନେଇ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। ରାତିସାରା ଚାଲିଲା ଗୁଣିଆର ପୂଜାପାଠ, ଝଡ଼ାଫୁଙ୍କା। ରାତି ପାହି ସକାଳ ହେଲା। ମାତ୍ର ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଆସିଲାନାହିଁ। ବରଂ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରେ ଲାଗିଲା। ସେ ଆଉ ଆଖି ଖୋଲିଲେ ନାହିଁ। ଅବସ୍ଥାରେ ଉନ୍ନତି ନ ଘଟିବାରୁ ଆଜି ସକାଳ ୧୦ଟା ପରେ  ପରିବାର ଲୋକ ବାଧ୍ୟହୋଇ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ପାଟଣା ପୁଲିସ ପକ୍ଷରୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣା ପରେ ଗୁଣିଆ ଫେରାର ହୋଇଯାଇଛି। ପାଟଣା ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର