ଅନୁଗୁଳ : ଟ୍ୟୁମର ଅପରେସନ ପାଇଁ ବହୁ ଆଶା ଭରସା ନେଇ ନର୍ସିିଂହୋମ୍‌କୁ ଯାଇଥିଲେ ମହିଳା। ଥିଏଟର ବାହାରେ ସ୍ବାମୀକୁ ଜଗାଇ ଡାକ୍ତରଙ୍କ ସହ ଯାଇଥିଲେ ଓଟିକୁ। କିନ୍ତୁ ଅପରେସନ୍‌ ବେଳେ କ’ଣ ଘଟିଲା କେଜାଣି ଓଟି ଭିତରେ ହିଁ ଛଟପଟ ହେଲେ। ଜୀବନ ଛାଡ଼ିଗଲା ଭଳି ଯମ ଯନ୍ତ୍ରଣା ଭୋଗିଲେ। ପରିବାର ଲୋକ କିଛି ଜାଣିବା ପୂର୍ବରୁ ରାତି ଅଧରେ ତାଙ୍କୁ ଭୁବନେଶ୍ବର ପଠାଇ ଦିଆଗଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ଚାଲିଗଲା ରୋଗୀଙ୍କ ଜୀବନ।

Advertisment

ମୃତ ମହିଳାଙ୍କ ଘର ଅନୁଗୁଳ ସହର ଉପକଣ୍ଠ ସୁସୁଡ଼ା ଗାଁ। ସୋମବାର ମଧ୍ୟାହ୍ନରେ ସ୍ବାମୀଙ୍କୁ ନେଇ ମହିଳା ଜଣକ ନର୍ସିଂହୋମ୍‌କୁ ଯାଇଥିଲେ। ଅପରାହ୍‌ଣ ପ୍ରାୟ ୫ଟାରେ ବାହାରେ ସ୍ବାମୀ ଜଗିଥିବା ବେଳେ ମହିଳାଙ୍କୁ ଓଟିକୁ ନିଆଯାଇଥିଲା। ଦୀର୍ଘ ୬ଘଣ୍ଟା କାଳ ଓଟିରେ ରହିବା ପରେ ରାତି ପ୍ରାୟ ୧୧ଟା ବେଳେ ଡାକ୍ତର ଓଟିରୁ ପଦାକୁ ଆସିଥିଲେ। ମହିଳାଙ୍କର ହାପର ବେମାର ଥିଲା କି? ବୋଲି ସ୍ବାମୀଙ୍କୁ ପଚାରି ଥିଲେ। ମହିଳାଙ୍କ ସ୍ବାମୀ ହାପର ବେମାର କଥା ସଫା ସଫା ମନା କରିବାରୁ ତାଙ୍କୁ ଓଟି ଭିତରକୁ ନେଇ ଡାକ୍ତର ସ୍ତ୍ରୀର ଅବସ୍ଥା ଦେଖାଇ ଥିଲେ। ସେତେବେଳକୁ ମହିଳା ଜଣକ ଛଟପଟ ହେଉଥିଲେ। ମହିଳାଙ୍କ ପରିବାର ଗରିବ ଓ ଅଶିକ୍ଷିତ।

ଘଟଣା ପ୍ରଘଟ ହେଲେ ପରିସ୍ଥିତି ଭୟଙ୍କର ହୋଇପାରେ। ତେଣୁ ରାତି ପାହିବା ପୂର୍ବରୁ ମହିଳାଙ୍କୁ ଅନୁଗୁଳରୁ ଅନ୍ୟତ୍ର ପଠାଇବାକୁ ଯୋଜନା ହୋଇଥିଲା। ତା’ ପୂର୍ବରୁ ଡାକ୍ତର ତାଙ୍କୁ ଭୁଲାଇବାକୁ ଚେଷ୍ଟା କରିଥିଲେ। ଭୁବନେଶ୍ବରରେ ମହିଳାଙ୍କ ଉନ୍ନତ ଚିକିତ୍ସା କରାଯିବ। ଆଇସିୟୁରେ ଭର୍ତ୍ତି ହୋଇଗଲେ ସବୁ ଠିକ୍ ହୋଇଯିବ କହି ଗାଡ଼ି ଯୋଗାଡ଼ କରିବା ପାଇଁ ଡାକ୍ତର କହିଥିଲେ। କିନ୍ତୁ ମହିଳାଙ୍କ ସ୍ବାମୀ ରାତି ୧୨ଟା ବେଳେ ଗାଡ଼ି ଯୋଗାଡ଼ କରି ଭୁବନେଶ୍ବର ନେବା ପାଇଁ ନିଜର ଅକ୍ଷମତା ପ୍ରକାଶ କରିବାରୁ ଡାକ୍ତର ନିଜେ ଗାଡ଼ି ଯୋଗାଡ଼ କରିଥିଲେ। ସକାଳ ପାହିବା ପୂର୍ବରୁ ରାତାରାତି ମହିଳାଙ୍କୁ ଡାକ୍ତରଙ୍କ ଗାଡ଼ିରେ ଅନୁଗୁଳରୁ ବିଦା କରି ଭୁବନେଶ୍ବରକୁ ନିଆଯାଇଥିଲା। କିନ୍ତୁ ବାଟରେ ହିଁ ମହିଳା ଜୀବନ ଛାଡ଼ିଗଲା।

ଓଟିକୁ ଯିବା ପୂର୍ବରୁ ମହିଳାଙ୍କ ଅବସ୍ଥା ମୃତ୍ୟୁ ଭଳି ପରିସ୍ଥିତି ନ ଥିଲା। କିନ୍ତୁ ଅପରେସନ୍‌ ପରେ କ’ଣ ହେଲା ଯେ ମହିଳାଙ୍କୁ ଛଟପଟ ହେବାକୁ ପଡ଼ିଥିଲା , ସେନେଇ ପରିବାର ଲୋକେ ଏବେ ବି ଅନ୍ଧାରରେ ଅଛନ୍ତି।