ବସ୍ତା: ବସ୍ତା ଥାନା ପାଳୁସିଆ ଗ୍ରାମରେ ପାରିବାରିକ କଳହରୁ ଟ୍ରେନ ଆଗକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାଯାଇଛି। କିନ୍ତୁ ମହିଳାଙ୍କ ବାପ ଘର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ।

Advertisment

ସୂଚନା ଅନୁସାରେ ଗ୍ରାମ ସାଧବ ଦାସଙ୍କ ସ୍ତ୍ରୀ ମଧୁସ୍ମିତା ଦାସ କୌଣସି କାରଣରୁ ପାରିବାରିକ ଝଗଡାକୁ ସହ୍ୟ କରି ନପାରି ଦିନ ଦୁଇଟା ସମୟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ କାହାରିକୁ ନଜଣାଇ ମୃତ ସ୍ତ୍ରୀର ଖଣ୍ଡବିଖଣ୍ଡ ଶରୀରକୁ ଅଖାରେ ଭର୍ତ୍ତି କରି ଘରକୁ ନେଇ ଆସିବା ନେଇ ଉତ୍ତେଜନା ଲାଗି ରହିଛି।

ଖବରପାଇ ବସ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ପ୍ରଶମିତ କରିଥିବା ବେଳେ, ପରିବାର ବର୍ଗ ସାଧବଙ୍କ ନାମରେ ଆଣିଛନ୍ତି ହତ୍ୟା ଅଭିଯୋଗ। ବସ୍ତା ଏସଡିପିଓ ଜଳନ୍ଧର ଜାଲି ଉପସ୍ଥିତ ଲୋକମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଅଭିଯୋଗକାରୀ ଜିଦ୍ ରେ ଅଟଳ ରହିଛନ୍ତି। ଉତ୍ୟକ୍ତ ଲୋକ ସାଧବଙ୍କ ଘର ଭଙ୍ଗାରୁଜା କରିଥିବା ବେଳେ ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ଏଥି ସହିତ ଆଜି ସକାଳେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।