ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଭିତରେ ପଶି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜିକୁ ଅଣାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତି ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ହେଲେ ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ୟୋତି ନଗରର ଟିକିନା ଦାସ(୩୦)।
ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଆଗରେ ଟିକିନା ଦାସ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ କାହାକୁ କିଛି ନକହି ସାଙ୍ଗରେ ଆଣିଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ। ଉପସ୍ଥିତ ପୁଲିସ କର୍ମଚାରୀ ଏହା ଦେଖି ତୁରନ୍ତ ତାଙ୍କ ଠାରୁ କୀଟନାଶକ ଔଷଧ ଛଡ଼ାଇବା ସହ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମେଡ଼ିକାଲରେ ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର, ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ, ଏସ୍ଆଇ ସଫିଆ ମିଶ୍ର, ଏଏସ୍ଆଇ ତିରୁପତି ରାଓ, ଏଏସ୍ଆଇ ପୁଷ୍ପା ମଲିକ, ଏସ୍ଆଇ ଜୟଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଟିକିନା ଦାସ ଧାରଉଧାର ହୋଇ ବହୁଦିନ ଧରି ବାହାରକୁ ଚାଲି ଯାଇଥିଲେ। ଗତ ୮ଦିନ ତଳେ ଗ୍ରାମକୁ ଫେରି ସ୍ବାମୀଙ୍କ ସହ ନରହି ନିଜ ଘରେ ରହୁଥିଲେ। ସ୍ବାମୀ ଏକ ଭଡ଼ା ଘରେ ରହୁଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/MKCG.jpg)