ସୁନ୍ଦରଗଡ଼: କିଛି ଦିନ ହେଲା ସୁନ୍ଦରଗଡ଼ରେ ପ୍ରଚଣ୍ଡ ତାତି ଓ ଅସହ୍ୟ ଗୁଳୁଗୁଳି ଲାଗି ରହିଛି। ତାପମାତ୍ରା ୪୩ରୁ ତଳକୁ ଖସୁନି। ଦିନେ ଦିନେ ତାହା ୪୫ରୁ ୪୬ ଡିଗ୍ରି ଉପରକୁ ଉଠିଯାଉଛି। ଏସ୍ଥିତିରେ ମାତ୍ର ୨ ଦିନରେ ସୁନ୍ଦରଗଡ଼ ଓ ରାଉରକେଲା ହସ୍ପିଟାଲରେ ୧୮ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ସେ ସବୁ ଅଂଶୁଘାତଜନିତ ବୋଲି କୁହାଯାଉଛି। ଯଦିଓ ଏନେଇ ସ୍ବାସ୍ଥ୍ୟ ବିଭାଗ ଏଯାଏ କିଛି ସ୍ପଷ୍ଟ କରିନାହିଁ। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

Advertisment

ଆଜି ସୁନ୍ଦରଗଡ଼ ସହରରେ ପୁଣି ଜଣେ ଅଜଣା ମହିଳା ରାସ୍ତାକଡ଼ରେ ଟଳି ପଡ଼ିଥିବାବେଳେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଫିଜିଓ ଥେରାପି ବିଭାଗର ୨ଜଣ ମହିଳା ଡାକ୍ତର ଚେତା ହରାଇଥିବା ସୂଚନା ମିଳିଛି। ମୃତ ମହିଳା ଆଜି ସକାଳେ ଟାଉନଥାନା ପାଖ ଶିକ୍ଷକ ସଂଘ ସମ୍ମୁଖରୁ ଅଳିଆ ଗୋଟାଉଥିଲେ। ହଠାତ ସେ ପଡ଼ିଯାଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅଂଶୁଘାତର ଆଶଙ୍କା କରାଯାଉଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ମେଡିକାଲ କଲେଜ ଓ ହସ୍ପିଟାଲର ପଞ୍ଚମ ମହଲାରେ ଥିବା ଫିଜିଓ ଥେରାପି ସେଣ୍ଟରର ୨ ଜଣ ମହିଳା ଡାକ୍ତର ଅସହ୍ୟ ଗରମ ଯୋଗୁ ଅଚେତ ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଭିତରୁ ଜଣଙ୍କର ନାମ ନୀଳିମା ପଣ୍ଡା ଓ ଅନ୍ୟ ଜଣଙ୍କର ପରିଚୟ ମିଳି ନାହିଁ। ସେଣ୍ଟରରେ ବାତନୁକୂଳ ବ୍ୟବସ୍ଥା ନଥିବାବେଳେ କେବଳ ୨ଟି କୁଲର୍ ଲାଗିଛି। କଲେଜ କୋଠାର ସବା ଉପରେ ଥିବା ମହଲା ପ୍ରଚଣ୍ଡ ତାତିରେ ଜଳୁଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ଜରୁରୀ ହୋଇ ପଡ଼ିଛି।