ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା କୋମନା ଗାଁର ଜଣେ ମହିଳା ଯୌତୁକ ନିର୍ଯାତନାରୁ ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀ ଓ ନଣନ୍ଦଙ୍କୁ ନୂଆପଡ଼ା ଏଡ଼ିଜେ କୋର୍ଟ ୧୦ବର୍ଷ ସଶ୍ରମ କାରାଦଣ୍ତରେ ଦଣ୍ତିତ କରିଛନ୍ତି।

Advertisment

୧୯୯୫ରେ କୋମନାର ଦେବେନ୍ଦ୍ର ଜୈନ ଓ ଖରିଆରରୋଡ଼ ସହରର ପିଙ୍କି ଗୁପ୍ତାଙ୍କ ବିବାହ ହୋଇଥିଲା। ଉଭୟେ ବିବାହ କରି କୋମନାରେ ରହୁଥିଲେ। ବିବାହ ପରେ ଯୈାତୁକ ପାଇଁ ସ୍ବାମୀ ଦେବେନ୍ଦ୍ର ଓ ନଣନ୍ଦ ରୁକ୍ମଣୀ ଜୈନ ପିଙ୍କିଙ୍କୁ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଥିଲା।

ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ୨୦୦୨ ଅକ୍ଟୋବର ୧୪ରେ ପିଙ୍କି କୋମନା ସ୍ଥିତ ବାସ ଭବନରେ ନିଜ ଜୀବନ ହାରିଥିଲେ। ପରିବାର ଲୋକେ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ କୋମନା ଥାନା ପୁଲିସ କେଶ ନଂ ୧୦୪/୨୦୦୨ରେ ମାମଲା ରୁଜୁ ତଦନ୍ତ କରି ଦେବେନ୍ଦ୍ର ଓ ଭଉଣୀ ରୁକ୍ମଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ନୂଆପଡ଼ା ଏଡ଼ିଜେ କୋର୍ଟରେ ଏସସି କେଶ ନଂ ୧୦୫/୧୬/୬/୩/୧୯ ଓ ସିଟି କେଶ ନଂ ୫୮/୧୭/୩/୪/୧୦ରେ ମାମଲା ରୁଜୁ କରି ବିଚାରଧିନ ଥିଲା। ସୋମବାର ନୂଆପଡ଼ା ଅତିରିକ୍ତ ଜିଲ୍ଲା ଜଜ୍(ଏଡ଼ିଜେ) ସୁନିଲ କୁମାର ଦାଶ ମାମଲାର ଶୁଣାଣି କରିଥିଲେ। ଏହି ଘଟଣାରେ ୨୩ ଜଣଙ୍କର ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାମଲାର ରାୟ ପ୍ରକାଶ କରିଛନ୍ତି। 

ଏଥିରେ ଅଭିଯୁକ୍ତ ଦେବେନ୍ଦ୍ର ଓ ଭଉଣୀ ରୁକ୍ମଣୀଙ୍କୁ ଧାରା ୩୦୪(ବି)ରେ ୧୦ବର୍ଷ ଜେଲ୍‌ ଦଣ୍ତାଦେଶ ସହ ୫ହଜାର ଟଙ୍କା ଜରିମାନା, ୪୯୮(ଏ)ରେ ୩ବର୍ଷ ଜେଲ୍‌ ଦଣ୍ତାଦେଶ ସହ ୫ହଜାର ଟଙ୍କା ଜରିମାନା, ୪ ଡ଼ିପି ଆକ୍ଟରେ ୧ବର୍ଷ ଜେଲ୍‌ ଦଣ୍ତାଦେଶ ସହ ୫ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। 

ଏଭଳି ଦେବେନ୍ଦ୍ର ଓ ଭଉଣୀ ରୁକ୍ମଣୀଙ୍କୁ ୧୦ବର୍ଷ କରାଦଣ୍ତାଦେଶ ସହ ୧୫ହଜାର ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଜରିମାନା ଅନାଦେୟ ହେଲେ ଉଭୟଙ୍କୁ ଅଧିକ ୬ମାସ ଜେଲ୍‌ ଦଣ୍ତ ଭୋଗିବାକୁ ପଡ଼ିବ ବୋଲି ଏଡ଼ିଜେ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଆଇନଜୀବୀ ଭାବେ  ଅତିରିକ୍ତ ପିପି କାତ୍ତିର୍କେଶ୍ବର ମହାରଣା ପୀଡ଼ିତାଙ୍କ ତରଫରୁ କୋର୍ଟରେ ମାମଲାର ପରିଚାଳନା କରିଥିଲେ।

 Nuapada | Crime