୭ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ, ଅନାହାରରେ ମରିଗଲେ ଦୁଃଖୀ!

ମଶାଣିରେ ନ ପୋଡ଼ି ଗାତଖୋଳି ପୋତିଦେଲେ

ନୂଆଗାଁ : ଆଜି ବି ଅନାହାର ମୃତ୍ୟୁ ଘଟୁଛି, ଦରିଦ୍ର ଓ ଅସହାୟଙ୍କ ପାଇଁ ଅନେକ ‌ଯୋଜନା ସତ୍ତ୍ବେ। ଭୋକ ଉପବାସରେ ଶଢ଼ି ଶଢ଼ି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଜାକେଡ଼ା ପଞ୍ଚାୟତ କାଳମ୍ବା ଗ୍ରାମର ଦୁଃଖୀଙ୍କ ମୃତ୍ୟୁ ଘଟିଲା ଜଙ୍ଗଲରେ। ସେ ମଲା ପରେ ପ୍ରଶାସନ ନିକଟରେ ବି ଖବର ପହଞ୍ଚିଲା ନାହିଁ। ଦୁଃଖୀଙ୍କୁ ଗାଁ’ ଲୋକେ ମଶାଣିରେ ନେଇ ପୋଡ଼ିବା ବଦଳରେ ଗାତ ଖୋଳି ପୋତି ଦେଇଛନ୍ତି। ଏଭଳି ଅନାହାରରେ ନୂଆଗାଁ ବ୍ଲକ୍‌ରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜାକେଡ଼ା ପଞ୍ଚାୟତ କାଳମ୍ବା ଆଦିବାସୀ ସମୁଦାୟର ଲୋକଙ୍କ ପାଖରେ ସରକାରୀ ଯୋଜନା ଆଜି ସୁଦ୍ଧା ଅପହଞ୍ଚ ହୋଇରହିଛି। ଲୋକମାନେ ସରକାରୀ ସୁବିଧା ସୁଯୋଗ ନ ପାଇ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଯାହାର କରୁଣ ପରିଣତି ଦେଖିବାକୁ ମିଳିଛି। ୧୫ ବର୍ଷ ତଳେ ଲୋକନାଥ ଯାନୀଙ୍କ ଝିଅ ଦୁଃଖୀ ଯାନି (୪୦) ୧୪ ବୟସରେ ପାଖ ଗ୍ରାମ ନେଳିସାହିରେ ବିବାହ କରିଥିଲେ। ବିବାହ କରିବା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କର ଦେହ ଅସୁସ୍ଥ ରହିବା ପରେ ତାଙ୍କର କେହି ଦେଖାଶୁଣା କରିନଥିଲେ। ସେଠାରୁ ଦୁଃଖୀ ସ୍ବାମୀଙ୍କୁ ଛାଡ଼ି ଝାନ୍‌ସୀ ଚାଲି ଯାଇଥିଲେ। ଝାନ୍‌ସୀରେ ୪ ବର୍ଷ ରହିବା ପରେ ଦୁଃଖୀ ନିର୍ଯାତନାର ଶିକାର ହୋଇ ଗାଁ’କୁ ଫେରି ଆସିଲେ। ସେବେଠାରୁ ଦୁଃଖୀ କାଳମ୍ବା ଗ୍ରାମରେ ରହୁଥିଲେ। ଗାଁ’ରେ ତାଙ୍କର ସଂପର୍କିୟ ବୋଲି କେହି ଜଣେ ବି ନଥିଲେ। ତାଙ୍କର ପୁଅ ଝିଅ ନଥିବା ବେଳେ ବାପା, ମାଆ ଏବଂ ଭାଇ ସବୁ ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ।

ସେହି ଟିକିଏ ଭିଟାମାଟିରେ ଚାଳଘର ଖଣ୍ତିଏ କରି ସେ ରହୁଥିଲେ। ତାଙ୍କ ପକ୍ଷେ ଚଳିବା କଷ୍ଟକର ହେବାରୁ ସେ ସରକାରୀ ସାହାଯ୍ୟ ପାଇବାକୁ ସମସ୍ତଙ୍କୁ ଗୁହାରି କରିଥିଲେ। ଗାଁ’ରେ ଆସି ୭ ବର୍ଷ ରହିବା ଭିତରେ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କୁ ସାମିଲ୍ କରାଯାଇନଥିଲା। ଶେଷରେ ଦୁଃଖୀ ବାଧ୍ୟ ହୋଇ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିଲେ। ଜଙ୍ଗଲରୁ ଆଳୁ, କଡ଼ବ, ମହୁଲ, ଦାନ୍ତକାଠି, ପତ୍ର ଆଦି ସଂଗ୍ରହ କରି ବାହାରେ ଆଣି ବିକ୍ରି କରୁଥିଲେ। ସେଥିରୁ ଯାହା ପଇସା ମିଳୁଥିଲା, ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲେ। ଏବେ ଦିନକୁ ଦିନ ଚଳିବା ତାଙ୍କ ପକ୍ଷେ କଷ୍ଟକର ହେବାରୁ ସେ ପୁଣି ପଞ୍ଚାୟତକୁ ଯାଇ ସରପଞ୍ଚଙ୍କୁ ଗୁହାରି କରିଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ପଞ୍ଚାୟତରୁ ୧୦ କିଲୋ ଚାଉଳ ଦେଉଥିଲେ। ଚାଉଳ ଆଣିବାକୁ ପ୍ରତି ମାସ ତାଙ୍କୁ ପଞ୍ଚାୟତରୁ ଦୁଇ ତିନିଥର ଫେରିବାକୁ ପଡ଼ୁଥିଲା। ସମସ୍ତଙ୍କ ପଛରେ ତାଙ୍କୁ ଚାଉଳ ଦିଆଯାଉଥିଲା। ଗତ ୩ ଦିନ ହେବ ଅନାହାରରେ ଥିବା ଦୁଃଖୀଙ୍କ ଦେହରେ ଚାଲିବାକୁ ବଳ ନଥିଲା। ତଥାପି ଜଙ୍ଗଲରୁ କିଛି ଦ୍ରବ୍ୟ ଆଣିବା ଆଶାରେ ଏକ କଟୁରୀ ଧରି ଯାଉଥିବା ସମୟରେ ରାସ୍ତା ଉପରେ ପଡ଼ି ଯାଇଥିଲେ ଏବଂ ଘଟଣାସ୍ଥଳରେ ଦୁଃଖୀଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ତେବେ, ନୂଆଗାଁ ବିଡିଓ ପ୍ରମୋଦ କୁମାର ଦଳବେହେରା ଅନାହାରରେ ମୃତ୍ୟୁ କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର