ଭୁଲ୍ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରରୁ ମହିଳା ମୃତ: ଉତ୍ତ୍ୟକ୍ତଙ୍କ ରାସ୍ତାରୋକ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭୁଲ୍‌ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଉତ୍ତ୍ୟକ୍ତ ଲୋକେ ଶବ ରଖି ଖଡ଼ିଆଳ ଥାନା ସାମ୍‌ନାରେ ରାସ୍ତା ଅବରୋଧ କରିଛନ୍ତି।

ସୂଚନାମତେ, ଖଡ଼ିଆଳ ବ୍ଲକ ବରଗାର ସୁଶୀଲ କୈବର୍ତ୍ତଙ୍କ ସ୍ତ୍ରୀ ଦୀପା କୈବର୍ତ୍ତ (୨୬) ଗତ ଜୁଲାଇ ୧୧ ତାରିଖ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ। ଡାକ୍ତର ଦୀନବନ୍ଧୁ ମହାନନ୍ଦ ଅସ୍ତ୍ରୋପଚାର କରିଥିବା ବେଳେ ଅସ୍ତ୍ରୋପଚାର ସମୟରେ ଡାକ୍ତର ଦୀପାଙ୍କ ଖାଦ୍ୟ ନଳୀକୁ କାଟି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଜୁଲାଇ ୧୨ ତାରିଖ ଦୀପାଙ୍କ ଚିକିତ୍ସା କରିବା ପରେ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଜୁଲାଇ ୧୫ ତାରିଖ ଦୀପାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ପଠାଯାଇଥିଲା। ରବିବାର ଦିନ ୧୦ଟା ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଦୀପାଙ୍କ ମୃତ୍ୟୁ ହୋଇଥିଲା।

ସେଠାରୁ ରାତି ୯ଟାରେ ଖଡ଼ିଆଳରେ ଶବ ପହଞ୍ଚିବା ପରେ ପରିବାରବର୍ଗଙ୍କ ସହ ଉତ୍ତ୍ୟକ୍ତ ଲୋକେ ଖଡ଼ିଆଳ ଥାନା ସାମ୍‌ନାରେ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ମହିଳାଙ୍କ ମୃତ୍ୟୁ ପରେ ତିନି ନାବାଳକ ପାୟଲ (୭), ଆଲ୍ଲା (୫) ଓ ସୁଭମ (୧) ଅନାଥ ହୋଇଯାଇଥିବା ବେଳେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏଣୁ ଉଚିତ୍ କ୍ଷତିପୂରଣ ସହ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ରାସ୍ତାରୋକ ଖବର ପାଇବା ପରେ ଖଡ଼ିଆଳ ବିଡିଓ ନାରାୟଣ ସାହୁ, ଏସ୍‌ଡିପିଓ ସନ୍ତକ ଜେନା, ଖଡ଼ିଆଳ ତହସିଲଦାର ସିନ୍ଧୁସୁତା ପାତ୍ର, ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂ, ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ (ରାତି ସାଢ଼େ ୧୦ଟା) ରାସ୍ତାରୋକ ହଟିନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର