ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ଧର୍ମଶାଳା : ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାୟତ ରାଧାନଗର ଗ୍ରାମର ସ୍ବର୍ଗତ ଭାସ୍କର ରାଉତଙ୍କ ପତ୍ନୀ ବିମଳୀ ରାଉତ(୬୦)ଙ୍କ ଶୁକ୍ରବାର ଭୋର ସମୟରେ ସର୍ପାଘାତରେ ମୃତ୍ୟୁ ଘଟିଛି। ସେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ବିମଳୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବରପାଇ ଧର୍ମଶାଳା ଥାନା ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନାକୁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ୍‌ ଘଟଣାର ତଦନ୍ତ କରୁଛି। ମୃତ ପରିବାରବର୍ଗଙ୍କୁ ସରକାରୀ ସହାୟତା ଦେବାପାଇଁ ସରପଞ୍ଚ ଅକ୍ରୂର ଚରଣ ନାୟକ ଦାବି କରିଛନ୍ତି।

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ
ଦଶରଥପୁର : ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତର ମୀନକେତନ ଯେନା(୫୮)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସେ ଶୁକ୍ରବାର ଅପରାହ୍‌ଣ ପ୍ରାୟ ୪ଟା ୩୦ ରେ କୌଣସି ଧାନ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର