ସାକ୍ଷୀଗୋପାଳ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଆଶାନେଇ କନ୍ଧମାଳରୁ ପୁରୀ ଆସୁଥିଲେ ଜଣେ ମହିଳା ଭକ୍ତ। ହେଲେ, ସାକ୍ଷୀଗୋପାଳ ନିକଟରେ ବସ୍ସିଟ୍ରେ ବସିଥିବା ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଛନ୍ତି। ପ୍ରଭୁଙ୍କ ଦର୍ଶନଲାଭ ତାଙ୍କର ଅଧୁରା ରହିଯାଇଛି। ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।
ଏହି ମହିଳା ଭକ୍ତ ହେଲେ, କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଖ୍ରୀଷ୍ଟ କୁମାରୀ ନାୟକ (୪୧)। ଖ୍ରୀଷ୍ଟ ବୁଧବାର ଦିନ ବସ୍ଯୋଗେ ପୁରୀ ଆସୁଥିଲେ। ପ୍ରାୟ ୭ଟା ସମୟରେ ବସ୍ଟି ସାକ୍ଷୀଗୋପାଳ ନିକଟରେ ପହଞ୍ଚିଥିଲା। ବସ୍ ମଧ୍ୟରେ ସିଟ୍ ଉପରେ ହଠାତ୍ ସେ ଟଳି ପଡ଼ିଥିଲେ। ଯାତ୍ରୀମାନେ ତୁରନ୍ତ ଜଣାଇବା ପରେ ବସ୍ କଣ୍ଡକ୍ଟର ସତ୍ୟବାଦୀ ଥାନାରେ ଜଣାଇଥିଲେ। ସତ୍ୟବାଦୀ ଥାନା ଏଏସ୍ଆଇ ବୈଷ୍ଣବ ଚରଣ ମହାରଣା ମହିଳାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟବାଦୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ। ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ଜଣେ ସଂପର୍କୀୟଙ୍କ ସହାୟତାରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।