ଗୁହାରି ନଶୁଣି ଘର ଭାଙ୍ଗିଦେଲା ପ୍ରଶାସନ, ବିଷ ପିଇଲେ ମହିଳା

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଛକ ନିକଟରେ ସରକାରୀ ଜମିରେ ଥିବା ଘର ଉଚ୍ଛେଦ ବେଳେ ଶୁକ୍ରବାର ଜଣେ ମହିଳା ବିଷପାନ କରିଛନ୍ତି। ଅନୁରୋଧ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ମହିଳା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ତେବେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଉଚ୍ଛେଦ କାମ ବନ୍ଦ ରଖାଯାଇଛି।

ସୂଚନା ଅନୁସାରେ ବାଉଁଶୁଣିର ପ୍ରଶାନ୍ତ ତ୍ରିପାଠୀ ଘର ଭଙ୍ଗା କାର୍ଯ୍ୟକୁ ପୂର୍ବରୁ ପ୍ରତିବାଦ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ଓ ପରେ ଜିଲାପାଳ ମଧ୍ୟ୍ୟ ଅଗ୍ରାହ୍ୟ କରିଥିଲେ। ଏନେଇ ସମ୍ବଲପୁର ଆରଡିସିରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଆସନ୍ତା ୨୨ ତାରିଖରେ ଏହି ଅଭିଯୋଗ ନେଇ ଶୁଣାଣି ହେବାର ଥିଲା। ହେଲେ ପ୍ରଶାସନକୁ ସେମାନେ ପରିବାର ତରଫରୁ ଆସି ଗୁହାରି କରିଥିଲେ ଯେ ଜାଗା ମାପ କରାଯାଇ ଚିହ୍ନଟ କରାଗଲେ ଯଦି ସରକାରୀ ଜାଗା ବୋଲି ପ୍ରମାଣ ହେବ ଆମେ ନିଜେ ଭାଙ୍ଗିଦେବୁ। ହେଲେ ପ୍ରଶାସନ କର୍ଣ୍ଣପାତ ନ କରି କୌଣସି ମାପ ନ କରି ଗତକାଲି ବାଉଁଶୁଣିରେ ଘର ଭଙ୍ଗାଯିବ ବୋଲି ସୂଚନା ଦେଇଥିଲେ।

ଆଜି ସକାଳେ ବଳପୂର୍ବକ ତାଙ୍କ ଘର ଭାଙ୍ଗିଦେବା ବେଳେ ସେମାନେ ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣିଲେ ନାହିଁ। ଏହାକୁ ସହ୍ୟ ନ କରିପାରି ପ୍ରଶାନ୍ତ ତ୍ରିପାଠୀଙ୍କ ସ୍ତ୍ରୀ ଜାନକୀ ତ୍ରିପାଠୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ବାଉଁଶୁଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପରେ  ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

ସମ୍ବନ୍ଧିତ ଖବର