ରାଇରଙ୍ଗପୁର: ଗ୍ରୁପ୍ ଋଣଭାର ସହି ନ ପାରି ସଂୟ ସହାୟକ ଗୋଷ୍ଠୀର ଜଣେ ମହିଳା ଜୀବନ ହାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏପରି ସଙ୍ଗୀନ ଅଭିଯୋଗ ଆସିଛି ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ କୁଲଡିହା ଗ୍ରାମରୁ। ମୃତ ମହିଳା ହେଲେ ବୀଜ ମାରାଣ୍ଡି (୨୪)।
ଅଭିଯୋଗ ଅନୁଯାୟୀ କୁଲଡିହା ଗ୍ରାମର ମଙ୍ଗଲ ମାରାଣ୍ଡିଙ୍କ ସ୍ତ୍ରୀ ବୀଜ ମାରାଣ୍ଡି ଜଣେ ସଂୟ ସହାୟକ ଗୋଷ୍ଠୀର ସଦସ୍ୟା। ତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସଂୟ ସହାୟକ ଗୋଷ୍ଠୀରୁ ଋଣ ନେଇ ଚାଷ ବାସ ଓ ଶ୍ରମିକ କାର୍ଯ୍ୟ କରି ବହୁ କଷ୍ଟରେ ଦୁଇ ଝିଅଙ୍କୁ ନେଇ ପରିବାର ଚଳାଇବା ସହିତ ଲୋନ୍ ମଧ୍ୟ ସୁଝୁଥିଲେ। ତେବେ ତାଙ୍କ ପଡ଼ୋଶୀର ଜୈନେକା ମହିଳା ତାଙ୍କୁ କହିଲେ ତାଙ୍କ ନାଁରେ ବେସରକରୀ ଲୋନ୍ ବାହାର କରିବାକୁ ଏବଂ ଉକ୍ତ ଟଙ୍କା ଜୈନେକା ମହିଳାଙ୍କୁ ଦେବା ପାଇଁ। ବୀଜଙ୍କଠାରୁ ନେଇଥିବା ବେସରକାରୀ ଗ୍ରୁପ୍ର ଲୋନ୍ ଜୈନେକା ମହିଳା ଶୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ତେବେ ମାତ୍ର କେଇଟା କିସ୍ତି ଶୁଝିବା ପରେ ଜୈନେକା ଲକ୍ଷାଧିକ ଟଙ୍କା ବାକି ରହି କୁଆଡେ ଫେରାର୍ ହୋଇଯାଇଥିଲେ। ଏପରିକି ଫୋନରେ ମଧ୍ୟ ଜୈନେକା ମହିଳାଙ୍କ ସହିତ ଯୋଗାଯୋଗ ହୋଇପାରିଲା ନାହିଁ। ବେସରକାରୀ ସଂସ୍ଥାର ଏଜେଣ୍ଟମନେ ଆସି ବୀଜଙ୍କୁ ଲୋନ୍ ଟଙ୍କା ମାଗିବାକୁ ବାରମ୍ବାର ଘରକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ୍ କରିବା ସହିତ ଲୋକଙ୍କ ସମୂଖ୍ୟରେ ଅପମାନିତ କରିଥାନ୍ତି। ଗତକାଲି ମଧ୍ୟ ଏଜେନ୍ଟମାନେ ଆସି ତାଙ୍କୁ ଟଙ୍କା ମାଗି ଅପମାନିତ କରିଥିଲେ। ତେବେ ଲୋନ୍ ଟଙ୍କା ଜୈନେକା ମହିଳା ନେଇଥିବାରୁ ବୀଜ କିସ୍ତି ଟଙ୍କା ଦେବା ପାଇଁ ଅସମର୍ଥ ହୋଇଥିଲେ। ବୀଜ ଅପମାନିତ ହେବା ପରେ ବାଧ୍ୟ ହୋଇ ସେ କବାଟ ବନ୍ଦ କରି ବିଷ ପିଇଦେଇଥିଲେ। ସନ୍ଧ୍ୟାରେ ତାଙ୍କ ସ୍ୱାମୀ ମଙ୍ଗଲ ଘରକୁ ଫେରିବା ପରେ ଦେଖିଲେ ଘର ବାହାରେ ଦୁଇ ଝିଅ କାନ୍ଦୁଛନ୍ତି ଏବଂ ଘର ଭିତର ପଟୁ କବାଟ ବନ୍ଦ କରି ଦେଇଛନ୍ତି। ମଙ୍ଗଲ କବାଟ ଭାଙ୍ଗି ଦେଖିଲେ ଯେ ବୀଜ ବିଷ ପିଇ ଗୁରୁତର ଅବସ୍ଥାରେ ଅଛନ୍ତି ଏବଂ ସେ ଗ୍ରୁପ୍ ଲୋନ୍ ମାଗିବାକୁ ଆସିଥିବା ଏଜେନ୍ଟଙ୍କ ଅପମାନ ସହିନପାରି ବିଷ ପିଇଥିବା ନେଇ ସ୍ୱାମୀକୁ କହିଲେ। ମଙ୍ଗଲ ସଂଗେସଂଗେ ଆମ୍ମୁଲାନ୍ସକୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ନଆସିବାରୁ ବାଧ୍ୟ ହୋଇ ଏକ ବୋଲେରୋ ସାହାଯ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ।
ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସ୍ୱାମୀ ମଙ୍ଗଲ ଅଭିଯୋଗ କରିଛନ୍ତି। ପୁଲିସ ମେଡିକାଲ ପହଂଚି ଶବକୁ ଜବତ କରି ବ୍ୟବଛଦେ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗୋରୁମହିଷାଣୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥାନାଅଧିକାରୀ ବବିତା ରାଣୀ ପୁହାଣ ଘଟଣାର ତଦନ୍ତ ଜାରି ରଖିଛନ୍ତି।