ଗୃହ ପ୍ରବେଶ କଲେ କମଳା

ଜୟପୁର : ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ ଆଜି ନୂତନ ଗୃହକୁ ପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ଗୃହ ନିର୍ମାଣ ପାଇଁ ତାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ତେବେ ପରବର୍ତୀ କିସ୍ତି ମିଳି ନଥିବାରୁ ଦୀର୍ଘଦିନ ଧରି ଘର ସଂପୂର୍ଣ୍ଣ କାମ ନିର୍ମାଣ ହୋଇପାରି ନଥିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା। ଯାହାଫଳରେ ନିର୍ମାଣ କାମ କିଛି ଦିନ ତଳେ ହିଁ ଶେଷ ହୋଇଥିଲା। ଆଜି କମଳାଙ୍କ ଗୃହ ପ୍ରବେଶ ଅବସରରେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦେବେନ ପ୍ରଧାନ, ସହକାରୀ ପ୍ରକଳ୍ପ ନିର୍ଦେଶକ ଗୌରୀ ଶଙ୍କର ସାହୁ, ଜୟପୁର ବ୍ଲକ ଭାରପ୍ରାପ୍ତ ବିଡିଓ ମନୋଜ କୁମାର ନାୟକଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ କମଳାଙ୍କ ପରି ଗୃହ ନିର୍ମାଣ କରିବାକୁ ଉପସ୍ଥିତ ଅତିଥି ମାନେ ପ୍ରକାଶ କରିବା ସହ ଶୌଚାଳୟ ବ୍ୟବହାର ଓ ପରିବେଶକୁ ସଫାସୁତରା ରଖିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ କହିଥିଲେ। ଭାରପ୍ରାପ୍ତ ବିଡିଓଙ୍କ କହିବାନୁଯାୟୀ, କମଳାଙ୍କୁ ବର୍ତ୍ତମାନ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଉଛି। ଆଗକୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରି ଗ୍ୟାସ ଚୁଲା ପ୍ରଦାନ ସହ ଅନ୍ୟାନ୍ୟ ଯୋଜନାରେ ମଧ୍ୟ ସାମିଲ କରାଯିବ। ଏଥିସହ କମଳାଙ୍କୁ ଘର ନିର୍ମାଣ ପାଇଁ ୩ଟି କିସ୍ତିରେ ଏକ ଲକ୍ଷ ଟଙ୍କା ମିଳିଥିବା ବେଳେ ଚତୁର୍ଥ କିସ୍ତିରେ ୩୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର କରାଯିବ ବୋଲି କହିଥିଲେ।

କୋରାପୁଟ ଜିଲ୍ଲା ପାତ୍ରପୁଟ ଅଞ୍ଚଳର ଆଦିବାସୀ ମହିଳା କମଳା ପାରଂପରିକ ପଦ୍ଧତିରେ ଧାନକୁ ସଂରକ୍ଷିତ ରଖି ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଥିଲେ। ଏପରିକି ପାରଂପରିକ ଚାଷ କରି କୃଷି ବୈଜ୍ଞାନିକଙ୍କ ପାଇଁ ମାର୍ଗଦର୍ଶକ ସାଜିଛନ୍ତି। ଏଥିପାଇଁ କମଳା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଲାଭ କରିଛନ୍ତି। ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ କମଳାଙ୍କୁ ଗତ ଦିନରେ ରାଜ୍ୟ ସରକାର ଯୋଜନା ବୋର୍ଡ ସଦ୍ୟସ ଭାବେ ମନୋନୀତି କରିଥିଲେ।

ସମ୍ବନ୍ଧିତ ଖବର