କୋରାପୁଟ: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ହିତାହିତ ଜ୍ଞାନ ଭୁଲିଗଲେ। ଅକଥନୀୟ ନିର୍ଯାତନା ଦେଲେ। ଡାଆଣୀ ସନ୍ଦେହରେ ମହିଳାଙ୍କୁ ବିଷ୍ଠା ଖୁଆଇଲେ। ଏଭଳିକି ପରିବାରକୁ ଗାଁରେ ସାମାଜିକ ବାସନ୍ଦ କରାଯାଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖୁଣ୍ଟିଆପଲ୍ଲା ଗାଁରେ ଘଟିଛି ଏମିତି ଲୋମଟାଙ୍କୁରା ଘଟଣା। ପୁଲିସକୁ ଅଭିଯୋଗ ଜଣାଇବା ସତ୍ତ୍ବେ ନ୍ୟାୟ ମିଳିଲାନି। ତେଣୁ ପୀଡ଼ିତ ପରିବାର ଶେଷରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁଲିମାଲୁ ଗାଁରୁ କିଛି ବର୍ଷ ତଳେ କୋରାପୁଟ ଜିଲ୍ଲାର ଖୁଣ୍ଟିଆପଲ୍ଲା ଚାଲି ଆସିଥିଲେ ବୁଦୁ ଗୌଡ଼। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କଠାରୁ ୨୦ହଜାର ଟଙ୍କାରେ ଜମି କିଣି ପ୍ରଥମ ପତ୍ନୀ ବୈଦୀ ଗୌଡ଼ଙ୍କ ସହ ଏଠାରେ ରହୁଛନ୍ତି। ତେବେ ଦୁଇ ବର୍ଷ ତଳେ ବୈଦୀଙ୍କ ଉପରେ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଡାଆଣୀ ବୋଲି ଡାକିବା ସହ ଟାହିଟାପରା କଲେ।

Advertisment

ଗାଁ ଛାଡ଼ି ଚାଲିଯିବାକୁ ଚାପ ପକାଇବା ସହ ମଝିରେ ମଝିରେ ଧମକ ଦେଲେ। ମାରପିଟ୍‌ କରିବାକୁ ପଛାଇ ନଥିଲେ ବୋଲି ଦଂପତି ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ଗାଁର ଗୋଟିଏ ଚା’ ଦୋକାନ ନିକଟରେ ବୈଦୀଙ୍କୁ ଜୋରଜବରଦସ୍ତ ବିଷ୍ଠା ଖୁଆଇଲେ। ଏଭଳି କି ଗାଁ ନଳକୂଅରୁ ପାଣି ନେବାକୁ ବାରଣ କରାଯାଇଛି। ଛୋଟ ପୁଅର ଜୀବନ ବି ଦୁର୍ବିଷହ ହୋଇଯାଇଛି। ଦିନକୁ ଦିନ ନିର୍ଯାତନା ବଢ଼ୁଥିଲା ବେଳେ ଏହି ବିଷୟରେ ବାରମ୍ବାର ବି. ସିଂହପୁର ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ତଥାପି ପୁଲିସ କୌଣସି ପଦକ୍ଷେପ ନେଉନି। ଏବେ ଜୀବନ ପ୍ରତି ବିପଦ ରହିଛି। କୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ। ତେଣୁ ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଗାଁରେ କେହି କଥାବର୍ତ୍ତା କରୁନଥିଲା ବେଳେ କାମ ସୁଦ୍ଧା ମିଳୁନି। ନିଜର ଗୋଟିଏ ଏକର ଜମିରେ ଚାଷ କରି କଷ୍ଟେମଷ୍ଟେ ଚଳୁଛନ୍ତି। ସୁରକ୍ଷା ନ ମିଳିଲେ ପୂରା ପରିବାରର ମୃତ୍ୟୁ ନିଶ୍ଚିତ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦୁ।