ଛେଣ୍ଡିପଦା : ଜିଇ ଥାଉ ଥାଉ ବିଧବା ବୋହୂର ଶୁଦ୍ଧିକ୍ରିୟା କଲେ ଶ୍ୱଶୁର

ଶ୍ୱଶୁରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ସଂପୃକ୍ତ ମହିଳା

ଛେଣ୍ଡିପଦା : ଛେଣ୍ଡିପଦା ଥାନା ବାଲିପଟ୍ଟା ଗାଁର ଜଣେ ବିଧବା ମହିଳା ବଞ୍ଚିଥିବାବେଳେ ଶ୍ୱଶୁର ତାଙ୍କ ଶୁଦ୍ଧିକ୍ରିୟା କରି ଗ୍ରାମବାସୀଙ୍କୁ ଭୋଜି ଦେଇଛନ୍ତି। ସଂପୃକ୍ତ ମହିଳା ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ବ‌ାଲିପଟ୍ଟାର ପ୍ରହ୍ଲାଦ ବେହେରାଙ୍କ ଝିଅ ମାନିନୀ(୩୦) ନିଜ ଗାଁର ଦୁଃଖବନ୍ଧୁ ବେହେରାଙ୍କ ପୁଅ ଅଭିମନ୍ୟୁଙ୍କୁ ୨୦୧୦ ଫେବ୍ରୁଆରି ୨୫ ତାରିଖରେ ମନ୍ଦିରରେ ବିବାହ କରିଥିଲେ। ଅଭିମନ୍ୟୁ ସାପ କାମୁଡ଼ାରେ ୩ ବର୍ଷ ତଳେ ପ୍ରାଣ ହରାଇଛନ୍ତି। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ମାନିନୀଙ୍କୁ ଶାଶୂଘର ଲୋକେ ମାଡ଼ପିଟ କରି ଘରୁ ତଡ଼ିଦେଲେ। ମାନିନୀ ପିଲାମାନଙ୍କୁ ନେଇ ବାପଘରେ ରହୁଛନ୍ତି। ମାନିନୀ ମରିଯାଇଥିବା କହି ଶ୍ୱଶୁର ଦୁଃଖବନ୍ଧୁ ଗତକାଲି ତାଙ୍କର ଶୁଦ୍ଧିକ୍ରିୟା କରି ଗ୍ରାମବାସୀଙ୍କୁ ଭୋଜି ଦେଇଥିଲେ। ଏ ସଂପର୍କରେ ମାନିନୀ ଶ୍ୱଶୁର ଦୁଃଖବନ୍ଧୁ ଓ ଗ୍ରାମ ସଭାପତି ଥିବା କକାଶ୍ୱଶୁର କର୍ଣ୍ଣ ବେହେରାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର