ଦେବଗଡ଼ : ମହିଳା ଫାଇନାନ୍ସ କର୍ମଚାରୀ ରୀତା ସାହୁ ହତ୍ୟା ମାମଲାର ରହସ୍ୟ ଉନ୍ମୋଚିତ ହୋଇଛି। ଦେବଗଡ଼ ଥାନା ପୁଲିସ ସୋମବାର ରୀତାଙ୍କ ପ୍ରେମିକ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପଣ୍ଡଲୋଇ ଗ୍ରାମର ଅଶ୍ବିନୀ ଷଣ୍ଢ ଓ ତାର ସହଯୋଗୀ ତଥା ସୁପାରି କିଲର୍‌ ସମ୍ବଲପୁର ସହର ଦାନୀପାଲିର ଚେରୁ ଓରଫ୍‌ ଶ୍ୟାମ ଖଡ଼ିଆଙ୍କୁ ଗିରଫ କରିଛି। ସୋମବାର ଦିନ ପୁଲିସ ଘଟଣାର ସିନ୍‌ ରିକ୍ରିଏସନ୍ କରିଛି। ପ୍ରେମରେ ବିଫଳ ହେବା ପରେ ଅଶ୍ବିନୀ ରୀତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Advertisment

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରୀତା ବୁର୍ଲାସ୍ଥିତ ଭାରତ ଫାଇନାନ୍ସ ଶାଖାରେ କାମ କରିବା ସମୟରେ ଅଶ୍ବିନୀଙ୍କ ସହ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ତେବେ ରୀତାଙ୍କ ଦେବଗଡ଼ ବଦଳି ହେବା ପରେ ଅଶ୍ବିନୀଙ୍କ ସହିତ ପ୍ରେମ ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏହାପରେ ଅଶ୍ବିନୀ ପ୍ରତିଶୋଧ ପରାୟଣ ହୋଇ ରୀତାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ଅଶ୍ବିନୀ ଓ ଶ୍ୟାମ ଯୋଜନା ପ୍ରସ୍ତୁତ କରିଥିଲେ।

ଗତ ୪ ତାରିଖ ରାତିରେ ରୀତା ଅଫିସରୁ କାମ ସାରି ଘରକୁ ଫେରିବା ସମୟରେ ଉଭୟ ଛୁରିରେ ଆକ୍ରମଣ କରିଥିଲେ। ସ୍କୁଟିରୁ ପଡ଼ିଯିବା ପରେ ରୀତାଙ୍କ ମୁଣ୍ଡ ଉପରେ ପଥର କଚାଡ଼ି ଦେଇଥିଲେ। ଏହା ସହିତ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତଭିଜା କପଡ଼ା ଲୁଚାଇବା ସହିତ ଘଟଣାସ୍ଥଳରୁ ଅଶ୍ବିନୀ ଓ ସହଯୋଗୀ ଶ୍ୟାମ ଏକ ବାଇକ ଚୋରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି କ୍ରାଇମ ସିନ ରିକ୍ରିଏସନ ସମୟରେ ଅଭିଯୁକ୍ତ ଦ୍ବୟ ପୁଲିସକୁ କହିଛନ୍ତି। ଘଟଣା ସ୍ଥଳରୁ ପୁଲିସ ହତ୍ୟାରେ ବ୍ୟବହୃତ ଛୁରି ଓ ବିଭିନ୍ନ ସାମଗ୍ରୀ ଜବତ କରିଛି। ଅନ୍ୟପଟେ ଚେରୁ ଓରଫ୍‌ ଶ୍ୟାମଙ୍କ ନାମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କ୍ରାଇମ ସିନ୍‌ ରିକ୍ରିଏସନ ବେଳେ ଏସ୍‌ଡିପିଓ ଅନିଲ ବେଉରିଆ, ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର ନାୟକଙ୍କ ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।