ସୋର: ସୋର ବ୍ଲକ୍ ଅନନ୍ତପୁର ପଞ୍ଚାୟତ ପୁରୁଷୋତ୍ତମ ଗ୍ରାମର ଜଣେ ମହିଳା ସ୍ଥାନୀୟ ଅଞ୍ଚଳର ଅନେକ ମହିଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକି ନେଇ ଜଣେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ସହିତ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଗ୍ରାମର ଉମାକାନ୍ତ ମଳିକଙ୍କ ପତ୍ନୀ ରଶ୍ମିତା ମଳିକ। ତାଙ୍କର ଦୁଇଜଣ ପିଲା ଅଛନ୍ତି। ସେ ରାଧାକୃଷ୍ଣ ଏସ୍ଏଚ୍ଜିର ସଭାପତି ଅଛନ୍ତି। ଏହା ସହିତ କିଛି ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରେ କାମ କରନ୍ତି। ରଶ୍ମିତା ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ମହିଳାଙ୍କଠାରୁ ଋଣ ଆଣି ସୁଧ ସହ ପରିଶୋଧ କରୁଥିଲେ।
ଏହିପରି ଭାବେ ସେ ପ୍ରାୟ ୩୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। ତେବେ ଗତ ୨୧ ତାରିଖ ଦିନ ରଶ୍ମିତା ଅନନ୍ତପୁରରେ ଥିବା ଫ୍ୟୁଜନ୍ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ଯାଜପୁର ଅଞ୍ଚଳର ବିଶ୍ୱଜିତ ନାୟକ ନାମକ ଜଣେ ଯୁବକଙ୍କ ସହିତ ସବୁ ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି। ଏନେଇ ଜାଣିବା ପରେ ରଶ୍ମିତାଙ୍କ ସ୍ୱାମୀ ଉମାକାନ୍ତ ସୋର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମର ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଗୀତାରାଣୀ ପଣ୍ଡା, ତନୁଜା ପଣ୍ଡା, ସୁକାନ୍ତିନୀ ପଣ୍ଡା, ଜ୍ୟୋସ୍ନା ମହାଳିକ, ମଞ୍ଜୁଲତା ପଣ୍ଡା ପ୍ରମୁଖ ମଧ୍ୟ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।