ବ୍ରହ୍ମପୁର : ଭିଜିଲାନ୍ସ୍ ଜାଲରେ ପିପଳପଙ୍କା ବିଟ୍‌ର ମହିଳା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ

ବ୍ରହ୍ମପୁର : ମାମଲା ରଫାଦଫା କରିବାକୁ ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବନାଞ୍ଚଳ ଅଧୀନ ଅସୁରବନ୍ଧ ସେକ୍ସନ୍ ପିପଳପଙ୍କା ବିଟ୍‌ର ମହିଳା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ। ଅଭିଯୋଗକାରୀ ଗୋଚ୍ଛା ପଞ୍ଚାୟତ ଢଉଗାଁର ଯୋଶେଫ୍ ମଣ୍ଡଳଙ୍କ ଠାରୁ ଆଜି ମଧ୍ୟାହ୍ନ ୧୨ଟାରେ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍ ଅଧିକାରୀମାନେ ତାଙ୍କୁ କାବୁ କରି ଗିରଫ କରିଛନ୍ତି। ଏହାସହ ଏଥି‌ରେ ସଂପୃକ୍ତ ରାତ୍ର ଜଗୁଆଳୀ ଗଣେଶ ପାତ୍ରଙ୍କୁ ବି ଗିରଫ କରାଯାଇଛି।

ଏନେଇ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍‌ରେ କେସ୍ ନମ୍ବର ୬/୨୦୨୦ ଅନୁସାରେ ମାମଲା ରୁଜୁ ସହ ବିଷ୍ଣୁପ୍ରିୟାଙ୍କ ଅସୁରବନ୍ଧ ସ୍ଥିତ ଅଫିସ୍, ଭଡ଼ାଘର ଓ ସୋରଡ଼ା ରେଞ୍ଜ୍ କାର୍ଯ୍ୟାଳୟରେ ଛାନ୍‌ଭିନ୍ କରାଯାଇ ସମସ୍ତ କାଗଜପତ୍ର ଜବତ ହୋଇଥିବା ଡିଏସ୍‌ପି ଶାନ୍ତନୁ ପାଢ଼ୀ ସୂଚନା ଦେଇଛନ୍ତି।

ଅଭିଯୋଗକାରୀ ଯୋଶେଫ୍ ମଣ୍ଡଳ ଓ ତାଙ୍କ ମା’ ରୀନା ମଣ୍ଡଳଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଥିଲା। ସେମାନେ ସେଠାରେ କିଛି କାଜୁ ଗଛ ଲଗାଇଥିଲେ। ହେଲେ କାଜୁ ଗଛର ସୁରକ୍ଷା ଓ ଅଗ୍ନିକାଣ୍ଡରୁ ରକ୍ଷା ପାଇଁ ସେମାନେ ସରକାରୀ ଜାଗାରେ ଗଛ କାଟି ସଫା କରିଦେଇଥିଲେ। ଫଳରେ ବନରକ୍ଷୀ ବିଷ୍ଣୁପ୍ରିୟା ‌ଯୋଶେଫ୍‌ଙ୍କ ବିରୋଧରେ ମାମଲା ରୁଜୁ ସହ ଗିରଫ କରିବେ ବୋଲି ଚେତାବନୀ ଦେଇଥି‌ଲେ। ତେବେ ପରେ ମାମଲା ରଫାଦଫା କରିବାକୁ ଯୋଶେଫ୍‌ଙ୍କୁ ସେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନ‌େଇ ଯୋଶେଫ୍ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍‌ରେ ଅଭିଯୋଗ କରିଥିଲେ।

ଆଜି ମଧ୍ୟାହ୍ନ ୧୨ଟାରେ ‌ଯୋଶେଫ୍ ଲାଞ୍ଚ ଟଙ୍କା ନେଇ ରାତ୍ର ଜଗୁଆଳୀ ଗଣେଶଙ୍କୁ ଦେଇଥି‌ଲେ। ଗଣେଶଙ୍କ ଠାରୁ ବନରକ୍ଷୀ ବିଷ୍ଣୁପ୍ରିୟା ଏହି ଟଙ୍କା ନେଉଥିବା ବେଳେ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଚଢ଼ଉରେ ଡିଏସ୍‌ପି ଅରୁଣ କୁମାର ନାୟକ, ଇନସପେକ୍ଟର୍ କୁମୁଦିନୀ ସାହୁ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର