ବିଶ୍ବପ୍ରସିଦ୍ଧ କୋଣାର୍କରେ ଚାଞ୍ଚଲ୍ୟ : ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ !

ବନ୍ଦ କୋଠରୀରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର, ମିଳିଲା ମଦ ବୋତଲ, ଆଧାରକାର୍ଡ଼

ପୁରୀ/କୋଣାର୍କ/ଗୋପ : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା କୋଣାର୍କ ଅଞ୍ଚଳ ଏକ ଭୁଲ କାରଣକୁ ନେଇ ଚର୍ଚ୍ଚାକୁ ଆସିଛି। ଜନୈକ ବଙ୍ଗୀୟ ଯୁବତୀଙ୍କୁ ଦଶ ଦିନ ଧରି ଏକ ବନ୍ଦ କୋଠରୀରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ବନ୍ଦ କୋଠରୀରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ଗୋପ ଡାକ୍ତରଖାନା ଓ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ସେପଟେ ଯୁବତୀ ଜଣକ ଏଠାକୁ କେମିତି ଆସିଲେ, କିଏ ଏଭଳି ଗଣଦୁଷ୍କର୍ମ କରିଛନ୍ତି, କୋଣାର୍କ ପୁଲିସ ତାର ଖୋଳତାଡ଼ ଆରମ୍ଭ କରିଛି। କୋଣାର୍କରେ ଦେହବେପାର ସାଙ୍ଗକୁ ଏଭଳି ଜଘନ୍ୟ ଅପରାଧ ବାରମ୍ବାର ଘଟୁଥିବାରୁ ଏହା ପୁଲିସର କାର୍ଯ୍ୟପନ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ଏଥିପାଇଁ ବିଶ୍ବପ୍ରସିଦ୍ଧ କୋଣାର୍କକୁ ବାରମ୍ବାର ଏପରି ଅପବାଦର ବୋଝ ମୁଣ୍ଡାଇବାକୁ ପଡ଼ିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଲାଣି।

ମିଳିଥିବା ସୂଚନା ମୁତାବକ, ଗତକାଲି କୋଣାର୍କ ପୁଲିସକୁ ଏକ ଅଜଣା ନମ୍ବରରୁ କେହି ଫୋନ୍ କରି ଯୁବତୀଙ୍କ ସଂପର୍କରେ ସୂଚନା ଦେଇଥିଲା। ସ୍ଥାନୀୟ ଏକ ଲଜ୍‌ରେ ରଖି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ପୁଲିସ ଉକ୍ତ ବ୍ୟକ୍ତିଙ୍କଠାରୁ ଖବର ପାଇ ଗତକାଲି ବିଭିନ୍ନ ଲଜରେ ଚଢ଼ଉ ବି କରିଥିଲା। କିନ୍ତୁ କୌଣସି ଖୋଜଖବର ପାଇନଥିଲା।

ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ କୋଣାର୍କ ଏନଏସି ମାର୍କେଟ୍ କଂମ୍ପ୍ଲେକ୍ସର ଏକ ବନ୍ଦ କୋଠରୀର ଦୁଇମହଲାରୁ ଜନୈକ ଯୁବତୀଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଯୁବତୀ ଜଣକ ତାଙ୍କୁ ବଞ୍ଚାଇବାକୁ ଅନୁରୋଧ କରୁଥିଲେ। ଯଦି ଉଦ୍ଧାର କରାନଯାଏ, ସେ ତଳକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ କୋଣାର୍କ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ବନ୍ଦ କୋଠରୀ ଭିତରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏହା ସହ ଘରର ଛାତ ଉପରୁ ୧୦ରୁ ଅଧିକ ମଦ ବୋତଲ, ଆଧାରକାର୍ଡ଼, କିଛି ଫଟୋ ଓ ଅନ୍ୟାନ୍ୟ ଦରକାରୀ ଜିନିଷପତ୍ର ପୁଲିସ ଜବତକରାଯାଇଛି।

ଡାକ୍ତରୀ ପରୀକ୍ଷା ସମୟରେ କୋଲକାତାର ଏହି ୨୫ ବର୍ଷୀୟ ଯୁବତୀ ଜଣକ କହିଛନ୍ତି, ସେ ବିବାହିତା ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। କିଛି ଦିନ ତଳେ କାଜଲ ନାମ୍ନୀ ଜଣେ ଯୁବତୀ ତାଙ୍କୁ ଚାକିରି ଲାଳସାରେ ପୁରୀ ନେଇ ଆସିଥିଲେ। ପରେ ତାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଥିଲେ। ସେ ରାଜି ନହେବାରୁ ବନ୍ଦ କୋଠରୀ ଭିତରେ ରଖି ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣକ ପ୍ରକାଶ କରିଛନ୍ତି। ସୁବାସ ବେହେରା ଓ ଅନ୍ୟ ୧୫ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଅଖିଆ ଅପିଆ ଏଠାରେ ରଖାଯାଇଥିବା ସେ କହିଛନ୍ତି। ଗୋଟିଏ ସ୍ଥାନରେ ନୁହେଁ, ଏକାଧିକ ସ୍ଥାନରେ ରଖି ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସେ କହିଛନ୍ତି।

ପୁଲିସ କିନ୍ତୁ ଏ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନି। ଆରକ୍ଷୀ ଅଧୀକ୍ଷକ ଡ. ସାର୍ଥକ ଷଡ଼ଙ୍ଗୀ ଏହାକୁ ଦେହବେପାର ସହ ଯୋଡ଼ିଛନ୍ତି। କହିଛନ୍ତି, କିଛିଦିନ ତଳେ ଦୁଇତିନି ଜଣ ଯୁବତୀ ଏହି ଯୁବତୀଙ୍କ ସହ କୋଣାର୍କ ଆସିଥିଲେ। ଏମାନଙ୍କ ଚାଲିଚଳନ ସନ୍ଦେହଜନକ ଥିଲା। ଏଣୁ ଏହା ଗଣଦୁଷ୍କର୍ମ ହୋଇନପାରେ। ତଥାପି ତଦନ୍ତ ପରେ ଯାହା କିଛି ଜଣାପଡ଼ିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ସଂପୃକ୍ତ ଘରର ମାଲିକଙ୍କୁ ପୁଲିସ ଅଟକ ରଖିଛି। ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କ ଉପସ୍ଥିତିରେ ତାଙ୍କୁ ଆଜି ରାତିରେ ଜେରା କରାଯାଇଛି। ଅନ୍ୟପକ୍ଷରେ ଯୁବତୀଙ୍କୁ କୋଣାର୍କ ଆଣିଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣକର ଆଧାର ପରିଚୟପତ୍ର ପୁଲିସର ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର