କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଇରପଲ୍ଲୀ ଗ୍ରାମରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଅଭିଯୁକ୍ତମାନେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ତାଙ୍କ ଯୌନାଙ୍ଗରେ ମଦ ବୋତଲ ପୂରାଇଦେବା ଅଭିଯୋଗ ଆଲୋଡ଼ନ ସୃଷ୍ଟି କରିଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଗଞ୍ଜେଇ ବେପାରରେ ବିବାଦକୁ କେନ୍ଦ୍ର କରି ଏଭଳି ଅମାନୁଷିକ କାଣ୍ଡ ଘଟିଥବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତିନିଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେହିପରି ଉକ୍ତ ମହିଳାଙ୍କ ଜଣେ ପୁରୁଷ ସହଯୋଗୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି।
ସୂଚନାନୁସାରେ, ପୋଲସରାର ସଂପୃକ୍ତ ମହିଳାଜଣକ ବହୁ ବର୍ଷ ହେଲା ଗଞ୍ଜେଇ ବେପାର କରି ଆସୁଛନ୍ତି। କିଛିମାସ ତଳେ ବେପାରକୁ ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହ ତାଙ୍କର ବିବାଦ ଲାଗିଥିଲା। ଆଉ ସେ କୌଶଳ କରି କୋଦଳା ପୁଲିସ ହାତରେ କିଛି ଯୁବକଙ୍କୁ ଗଞ୍ଜେଇ ସହ ଧରାଇ ଦେଇଥିଲେ। ଫଳରେ ଉକ୍ତ ଯୁବକମାନେ ପ୍ରତିଶୋଧ ନେବାକୁ ସୁଯୋଗ ଉଣ୍ଡୁଥିଲେ। କିଛିଦିନ ତଳେ ଜାମିନରେ ଆସିଥିବା ବେଳେ ସେମାନେ ଉକ୍ତ ମହିଳାଙ୍କୁ ଗତକାଲି ଅପରାହ୍ଣ ୪ଟାରେ ଗଞ୍ଜେଇ ବେପାର ବାବଦ ବକେୟା ଟଙ୍କା ନେବାକୁ ଡାକିଥିଲେ। ମହିଳାଜଣକ ତାଙ୍କର ଜଣେ ପୁରୁଷ ସହଯୋଗୀଙ୍କ ସହ ବାଇକ୍ରେ କବିସୂର୍ଯ୍ୟନଗର ଥାନା ଖଇରପଲ୍ଲୀ ଗ୍ରାମ ନିକଟକୁ ଆସିଥିଲେ। ୩ରୁ ୪ ଜଣ ଯୁବକ ଉଭୟଙ୍କୁ ସେଠାରେ ପ୍ରବଳ ମାଡ଼ ମାରିଥିଲେ। ଅପରାହ୍ଣ ୪ଟାରୁ ପାହାଡ଼ ମୁଣ୍ଡିଆକୁ ନେଇ ସେଠାରେ ଗଣଦୁଷ୍କର୍ମ କରିବା ସହ ପ୍ରବଳ ମାଡ଼ ମାରିଥିଲେ। ଏପରିକି ତାଙ୍କ ଯୌନାଙ୍ଗରେ ମଦ ବୋତଲ ପୂରାଇ ରାତିସାରା ନିର୍ଯାତନା ଦେଇଥିଲେ।
ଆଜି ସକାଳେ ଗ୍ରାମର ହ୍ରଦ ନିକଟରୁ ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ସେ ସମଗ୍ର ଘଟଣା ବର୍ଣ୍ଣନା କରିଥିଲେ। ଏହାକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଜଣଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଆସିକା ଥାନା ବାବନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ମହିଳାଙ୍କ ପୁରୁଷ ସହଯୋଗୀକୁ ମଧ୍ୟ ପଚରାଉଚରା କରାଯାଉଛି। ସୂଚନା ଥାଉକି, କିଛି ମାସ ତଳେ କୋଦଳା ନିକଟ ଛଚିନା ଗ୍ରାମ ଛକ ପାଖରୁ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା।