ସମ୍ବଲପୁରରେ ପୁଣି ଲଜ୍ଜା : ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ

ମୁମୂର୍ଷୁ ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି, ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌

ସମ୍ବଲପୁର : ହାଇଦ୍ରାବାଦ ଓ ଉନ୍ନାଓ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଝଡ଼ ବହୁଛି। ବିଶେଷକରି ହାଇଦ୍ରାବାଦ ପୁଲିସ ଏନ୍‌କାଉଣ୍ଟର କରି ୪ ଜଣ ଅଭିଯୁକ୍ତଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଏଭଳି ସ୍ଥିତିରେ ବି ଯୌନପିପାସୁଙ୍କ କବଳରୁ ବର୍ତ୍ତି ପାରୁନାହାନ୍ତି ମହିଳା। ଗତକାଲି ରାତିରେ ସମ୍ବଲପୁର ସହରରେ ଜଣେ ଆଦିବାସୀ ମହିଳାଙ୍କୁ ଅପହରଣ କରାଯାଇ ଅତ୍ୟନ୍ତ ପାଶବିକ ଭାବେ ଗଣଦୁଷ୍କର୍ମ କରାଯାଇଛି। ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ମହିଳାଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ମହିଳାଙ୍କ ସମ୍ବେଦନଶୀଳ ଅଂଗ ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଏପରିକି ମୁଣ୍ଡ ପଛପଟେ ମଧ୍ୟ ଆଘାତ ଲାଗିଛି। ଘଟଣାରେ ସଂପୃକ୍ତି ସନ୍ଦେହରେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି।

ସୂଚନା ପାଇ ଏସ୍‌ପି କନୱର ବିଶାଳ ସିଂ, ଅତିରିକ୍ତ ଏସ୍‌ପି ପି.କେ.ମହାପାତ୍ର ଅଇଁଠାପାଲିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୁର୍ଲା ଡାକ୍ତରଖାନାରେ ଏସ୍‌ଡିପିଓ ଶିଶୁ ରଞ୍ଜନ ମହାପାତ୍ର, ଡିଏସ୍‌ପି ସୁଜାତା ପଣ୍ଡା, ବୁର୍ଲା ଥାନା ଅଧିକାରୀ ବି.ବି.ଭୋଇ, କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକଙ୍କ ସମେତ ପୁଲିସର ଏକ ଟିମ୍‌ ଜଗି ରହିଛନ୍ତି। ସନ୍ଧ୍ୟାରେ ମହିଳାଙ୍କଠାରୁ ବୟାନ୍‌ ରେକର୍ଡ କରିବା ପରେ ଡିଏସ୍‌ପି ସୁଜାତା ପଣ୍ଡା ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ସାପଲହରା ଅଞ୍ଚଳର ଏହି ଆଦିବାସୀ ମହିଳା(୩୦ ବର୍ଷ) ଶନିବାର ଅଇଁଠାପାଲି ଥାନା ଅଞ୍ଚଳ ଡେଙ୍ଗ୍‌ସରଗି ଗାଁରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥି‌ଲେ। ରାତି ପ୍ରାୟ ସାଢ଼େ ୯ଟା ସମୟରେ ମହିଳା ଜଣଙ୍କ ଗାଁ ମୁଣ୍ଡର ଏକ ଦୋକାନକୁ ଯାଉଥିବା ସମୟରେ ସେହି ଗ୍ରାମର ୨ ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ। ପ୍ରାୟ ୧ କିମି ଦୂର ଏକ ନିଛାଟିଆ ସ୍ଥାନକୁ ନେଇଯିବା ପରେ ସେଠାରେ ଆଉ ୨ ଜଣ ଯୁବକ ପହଞ୍ଚିଥିଲେ। ୪ ଜଣ ମିଶି ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ମହିଳାଜଣକ ବିରୋଧ କରିବାରୁ ତାଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିଥିଲେ। ରାତିସାରା ଗଣଦୁଷ୍କର୍ମ ପରେ ଭୋରରୁ ଉକ୍ତ ମହିଳାଙ୍କୁ ଯୁବକମାନେ ଏକ ବାଇକ୍‌ରେ ଅନ୍ୟତ୍ର ନେଉଥିବା ସମୟରେ ରାସ୍ତା ଉପରେ ଖସି ପଡ଼ିଥି‌ଲେ। ଫଳରେ ପୀଡ଼ିତାଙ୍କ ମୁଣ୍ଡ ପଛପଟେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ମୃତ ଭାବି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ରାସ୍ତା ଉପରେ ମହିଳାଜଣକ ପଡ଼ିଥିବା ଦେଖି ଜଣେ ଜଳଖିଆ ଦୋକାନୀ ପୁଲିସ୍‌କୁ ସୂଚନା ଦେଇଥିଲେ। ଅଇଁଠାପାଲି ପୁଲିସ୍‌ ସଂଜ୍ଞାହୀନ ଓ ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ତେବେ ଅପହରଣ ପରେ ମହିଳାଙ୍କୁ ଅଭିଯୁକ୍ତମାନେ ପ୍ରଚୁର ନିଶା ଦେଇଥିବା ଓ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଓ‌ ସେ ଠିକ୍‌ ଭାବେ କଥା ମଧ୍ୟ କହିପାରୁ ନଥିବା ଜଣାପଡ଼ିଛି। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୀଡ଼ିତାଙ୍କୁ ସାଧାରଣ ୱାର୍ଡରେ ନରଖି ବଡ଼ ଡାକ୍ତରଖାନାର ଲେବର ରୁମ୍‌ରେ ରଖାଯାଇଛି।

ଖବର ଲେଖାହେବା ଯାଏଁ ଅଇଁଠାପାଲି ପୁଲିସ୍‌ ୬ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ରାତି‌ରେ କିମ୍ବା ଆସନ୍ତାକାଲି ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ବୁର୍ଲା ଡାକ୍ତରଖାନାକୁ ନିଆଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ପି.କେ.ମହାପାତ୍ରଙ୍କୁ ପଚାରିବାରେ ସେ ଘଟଣାକୁ ସ୍ବୀକାର କରିବା ସହ ତଦନ୍ତ ଜାରି ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର