ମାଣତ୍ରି : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ମାଣତ୍ରି ଡାକ୍ତରଖାନା ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବାବେଳେ ଏଠାରେ ଜଣେ ବି ଡାକ୍ତର ନାହାନ୍ତି। ଯାହାଫଳରେ ଲୋକମାନେ ସ୍ବାସ୍ଥ୍ୟସେବା ନପାଇ ହଇରାଣ ହରକତ ହେଉଛନ୍ତି। ଶନିବାର ଜଣେ ଆସନ୍ନପ୍ରସବା ଡାକ୍ତରଖାନାକୁ ଆସି ହଟହଟା ହେବା ସହିତ ଅଟୋରେ ସନ୍ତାନ ପ୍ରସବ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
ଶନିବାର ରାତିରେ ଭିମିଦା ପଞ୍ଚାୟତ ଅର୍ଜୁନବାରିଆ ଗ୍ରାମର ହରିଶଙ୍କର ମହାଳିକଙ୍କ ସ୍ତ୍ରୀ ଦେବକୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେ ଆଶାକର୍ମୀ ସହିତ ଏକ ଅଟୋରେ ମାଣତ୍ରି ଡାକ୍ତରଖାନାକୁ ଆସିଥିଲେ। ମାତ୍ର ଡାକ୍ତର ନଥିବାରୁ ରାତ୍ରି ଡ୍ୟୁଟିରେ ଥିବା ନର୍ସଜଣକ ତାଙ୍କୁ ବଡ଼ସାହି ଡାକ୍ତରଖାନାକୁ ନେଇଯିବା ପାଇଁ କହିଥିଲେ। ମାତ୍ର ଗର୍ଭ ଯନ୍ତ୍ରଣାରେ ଦେବକୀ ଛଟପଟ ହେଉଥିବାରୁ ପରିବାର ଲୋକେ ସେଠାରେ ପ୍ରସବ କରାଇବା ପାଇଁ କାକୁତିମିନତି ହୋଇଥିଲେ ମଧ୍ୟ କିଛି ଶୁଣି ନ ଥିଲେ ନର୍ସ। ଶେଷରେ ପରିବାର ଲୋକେ ପ୍ରସୂତିଙ୍କୁ ଧରି ଅଟୋରେ ବଡ଼ସାହିକୁ ଯିବା ସମୟରେ ମାଣତ୍ରି ଡାକ୍ତରଖାନାଠାରୁ ମାତ୍ର ପଚାଶ ମିଟର ଦୂରରେ ଅଟୋ ଭିତରେ ଦେବକୀ ସନ୍ତାନ ପ୍ରସବ କରିଥିଲେ। ପ୍ରଶ୍ନ ଉଠୁଛି, କେବଳ ଜଟିଳ ସ୍ଥିତିକୁ ଛାଡ଼ିଦେଲେ ସାଧାରଣତଃ ନର୍ସମାନେ ହିଁ ଡାକ୍ତରଖାନାରେ ପ୍ରସବ କରାଇଥାନ୍ତି। ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁରକ୍ଷିତ ପ୍ରସବ ପାଇଁ ସରକାର ସବୁ ବ୍ୟବସ୍ଥା କରିଥିବାବେଳେ ମାଣିତ୍ରି ଡାକ୍ତରଖାନାରେ ଜଣେ ଅଭିଜ୍ଞତାସଂପନ୍ନ ନର୍ସ ମଧ୍ୟ ଥିଲେ। ଏହାସତ୍ତ୍ବେ ଦେବକୀଙ୍କୁ ରାତି ୧୨ଟାରେ ପ୍ରଚଣ୍ଡ ଶୀତକାକରରେ ପୁଣି ଅଟୋ ଭିତରେ ସନ୍ତାନ ପ୍ରସବ କରିବାକୁ ପଡ଼ିଲା। ତା’ ହେଲେ କାହା ପାଇଁ ଜନନୀ ସୁରକ୍ଷା ଯୋଜନା? ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶଥାଉକି, ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ଡାକ୍ତର କାମଚଳା ଭାବେ ସୋମବାର ଓ ବୁଧବାର ଏଠାକୁ ଆସୁଥିବା ବେଳେ ସ୍ୱାସ୍ଥ୍ୟଗତ କାରଣ ପାଇଁ ସେ ଦୁଇ ମାସ ଛୁଟିରେ ରହିଥିଲେ। ତେବେ କାମଚଳା ଭିତ୍ତିରେ ନୁହେଁ, ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଗୁରୁତ୍ବାରୋପ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/baby.jpeg)