ଏକାଥରକେ ୪ ଶିଶୁକନ୍ୟାଙ୍କୁ ଜନ୍ମଦେଲେ ମହିଳା

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଶନିବାର ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରସୂତିଙ୍କର ବନ୍ଧ୍ୟା ଦୋଷ ସହ ଚିକଲ ସେଲିଡିଡ, ଥାଲାସେମିଆ, କ୍ରେକ, ରକ୍ତ ହୀନତା, ଜଣ୍ତିସ ଆଦି ଅନେକ ରୋଗ ରହିଥିଲା। ଏହାସତ୍ତ୍ବେ ତାଙ୍କର ସାଧାରଣ ପ୍ରସବ କରାଯାଇଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର ସୂଚନା ଦେଇଛନ୍ତି। ଏହା ଏସସିବିରେ ଏକ ବିରଳ ଘଟଣା ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, ବୀରେନ୍ଦ୍ର ନାୟକ ଓ ପତ୍ନୀ ଛବିତାଙ୍କ ଘର ଭଞ୍ଜନଗର ଡିହପଡା ଅଞ୍ଚଳରେ। ଛବିତା ଗର୍ଭବତୀ ଥିବାରୁ ପ୍ରସବ ନିମନ୍ତେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପ୍ରଥମେ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେ ଗତ ବୁଧବାର ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ଶନିବାର ଅପରାହ୍ନରେ ଛବିତାଙ୍କ ଅସହ୍ୟ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଲେବର ରୁମକୁ ନିଆଯାଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର କରଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ତାଙ୍କର ପ୍ରସବ କରାଇଥିଲେ। ମହିଳା ଜଣକ ୪ଟି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ସେମାନଙ୍କ ଓଜନ ଭିନ୍ନ ଭିନ୍ନ ରହିଛି। ପ୍ରଥମ ଶିଶୁର ଓଜନ ୧ କିଲୋ ହୋଇଥିବା ବେଳେ ଦ୍ବିତୀୟ ଶିଶୁର ୮୦୦ ଗ୍ରାମ, ତୃତୀୟ ଶିଶୁ ୬୫୦ ଗ୍ରାମ ଓ ଚତୁର୍ଥ ଶିଶୁର ଓଜନ ୪୦୦ ଗ୍ରାମ ରହିଛି। ପ୍ରସବ କରାଇଥିବା ଡାକ୍ତରୀ ଦଳରେ ଡାକ୍ତର କୀର୍ତ୍ତିରେଖା ମହାପାତ୍ର, ଡାକ୍ତର ରଞ୍ଜିତା ଘଡେଇ, ଡାକ୍ତର ସତ୍ୟବାନ ଜେନା ପ୍ରମୁଖ ସାମଲ ହୋଇଥିଲେ। ଛବିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ନବଜାତକ ଶିଶୁ ପରିପକ୍ବ ନଥିବାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି। ନବଜାତକଙ୍କୁ ପ୍ରସୂତି ବିଭାଗର ଆଇସିୟୁରେ ଚିକିତ୍ସା କରାଯାଉଛି। ଆବଶ୍ୟକ ପଡିଲେ ଶିଶୁ ମାନଙ୍କର ଅଧିକ ଚିକିତ୍ସା ଲାଗି ଶିଶୁଭବନକୁ ପଠାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର