କରୋନା ଟେଷ୍ଟ ସେଣ୍ଟର ପରିସରରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

ଉମରକୋଟ: ନବରଙ୍ଗପୁର ଜିଲ୍ଲାରେ କରୋନାର ଭୟାବହତା ମଧ୍ୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କରୋନା ଟେଷ୍ଟ ସେଣ୍ଟର ପରିସର ମଧ୍ୟରେ ଜଣେ ଗର୍ଭବତୀ ମହିଳା ପ୍ରସବ କରିଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ସୂଚନା ମୁତାବକ ରାଇଘର ବ୍ଳକର ପାରୁଆ ଗ୍ରାମର ଭକ୍ତ ମାଳୀଙ୍କ ସ୍ତ୍ରୀ ଉର୍ମିଳା ମାଳୀ (୨୫) ପ୍ରସବ ଯନ୍ତ୍ରଣା ହେବା ପରେ ୧୦୨ ଯୋଗେ ଉମରକୋଟ ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ସକାଳ ୧୦.୩୦ ସମୟରେ ପହଞ୍ଚି ଥିଲେ। ପରେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ହେଲେ କୋଭିଡ ଟେଷ୍ଟ ନିକଟରେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ମହିଳା ଜଣକ ଉକ୍ତ ସର୍ବସାଧାରଣ ସ୍ଥଳରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ସମ୍ପ୍ରତି ଉମରକୋଟ ଓ ରାଇଘର ବ୍ଲକର ଗ୍ରାମାଞ୍ଚଳରେ କରୋନା ଏକ ଭୟାବହତା ରୂପ ନେଇଛି। ଲୋକେ କରୋନା ପଜିଟିଭ ବାହାରିବ ବୋଲି ଟେଷ୍ଟିଂ କେନ୍ଦ୍ର ଯିବାକୁ ଭୟ କରୁଛନ୍ତି। ଏହା ସହ କୌଣସି ଶାରୀରିକ ସମସ୍ୟା ଦେଖାଦେଲେ ମଧ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲକୁ ଯିବାକୁ ଭୟ କରୁଛନ୍ତି । ତାହାର ପ୍ରତିଫଳନ ସ୍ୱରୂପ ପ୍ରସବ କାଳୀନ ଯନ୍ତ୍ରଣା ଅସହ୍ୟ ହେଲେ ମେଡିକାଲକୁ ଆସୁଥିବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଥିବା ସାଧାରଣରେ ଚର୍ଚା ହେଉଛି। ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ ପଣ୍ଡା କହିଛନ୍ତି ମା ଓ ନବଜାତ ପୁତ୍ର ସନ୍ତାନ ଦୁହେଁ ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଅପରପକ୍ଷେ ପୁତ୍ର ସନ୍ତାନ ଜନ୍ମ କରିଥିବା ମହିଳାଙ୍କର କରୋନା ପଜିଟିଭ ବାହାରିଥିବା ବେଳେ ଶିଶୁଟିର କୋଭିଡ ପରୀକ୍ଷା ଆବଶ୍ୟକ ହେଲେ ଆସନ୍ତାକାଲି କରାଯିବ ବୋଲି ମେଡିକାଲ୍ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର