କେନ୍ଦ୍ରାପଡ଼ା/ମହାକାଳପଡ଼ା : ସରପଞ୍ଚ ଫୋନ୍ ଉଠାଇଲେନି। ବ୍ୟକ୍ତିଗତ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ଆସିବାକୁ ଫୋନ୍ରେ ମନା କଲେ ଆଶା କର୍ମୀ। ଶେଷରେ ଆସବପ୍ରସନ୍ନା ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍ସି)ରେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ମହାକାଳପଡ଼ା ବ୍ଲକ୍ ବାରଡାଙ୍ଗ ପଂଚାୟତ ବଡ଼ଗାଁସ୍ଥିତ ବଜ୍ରମହାକାଳୀ ସରକାରୀ ଉପ୍ରା ବିଦ୍ୟାଳୟ ଟିଏମ୍ସିରେ ଦେଖିବାକୁ ମିଳିଛି। ଆଜି ଭୋର୍ ପ୍ରାୟ ୫ଟା ବେଳେ ସୁରତ ଫେରନ୍ତା ଏହି ମହିଳା ଜଣକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଉଦ୍ବେଗର ବିଷୟ ହେଉଛି, ପ୍ରସବ ପରେ ବି ପ୍ରଶାସନ ପକ୍ଷରୁ ଉଭୟ ମା’ ଓ ଶିଶୁକନ୍ୟାକୁ ସ୍ବାସ୍ଥ୍ୟବସ୍ଥା ଯାଂଚ ପାଇଁ ହସ୍ପିଟାଲ୍ ନିଆଯାଇପାରିଲା ନାହିଁ।
ସୁରତରୁ ଫେରିଥିବା ଏହି ଦମ୍ପତି ହେଉଛନ୍ତି ବାରଡାଙ୍ଗ ପଞ୍ଚାୟତ ବାହାରସବଳା ଗାଁର ଶତ୍ରୁଘ୍ନ ନାୟକ ଓ ପତ୍ନୀ ସବିତା ନାୟକ। ଗତ ୨୭ତାରିଖରେ ଉଭୟ ଟ୍ରେନ୍ରେ ଆସି ବାଲେଶ୍ବର ଷ୍ଟେସନ୍ରେ ଓହ୍ଲାଇଥିଲେ। ସେଠାରୁ ବସ୍ ଯୋଗେ କଟକରେ ପହଞ୍ଚିବା ପରେ କେନ୍ଦ୍ରପଡ଼ା ପ୍ରଶାସନ ପକ୍ଷରୁ ଅନ୍ୟ ପ୍ରବାସୀଙ୍କ ସହିତ ଏହି ଦମ୍ପତିକୁ ବସ୍ରେ ଅଣାଯାଇ ବଜ୍ରମହାକାଳୀ ଟିଏମ୍ସିରେ ରଖାଯାଇଥିଲା। ଏଠାରେ ୧୫ଜଣ ପୁରୁଷଙ୍କ ସମେତ ୮ଜଣ ମହିଳା ଏବଂ ୩ ଜଣ ପିଲା ରହୁଥିଲେ। ସ୍ବାମୀ ଶତ୍ରୁଘ୍ନଙ୍କ କହିବାନୁଯାୟୀ, ପତ୍ନୀଙ୍କ ପ୍ରସବ ତାରିଖ ଡାକ୍ତର ଜୁନ୍ ୧୭ ଦେଇଥିଲେ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଅଚାନକ ପତ୍ନୀଙ୍କ ପ୍ରସବକାଳୀନ ବେଦନା ହୋଇଥିଲା। ଭୋର୍ ପ୍ରାୟ ୪ଟା ବେଳକୁ ଯନ୍ତ୍ରଣା ଅସହ୍ୟ ହେବାରୁ ସରପଞ୍ଚଙ୍କୁ ଫୋନ୍ ଲଗାଇଥିଲି। ପାଖାପାଖି ପାଂଚ ଥର ଫୋନ୍ କରିବା ପରେ ବି ସେ ଉଠାଇଲେ ନାହିଁ। ଆଶା କର୍ମୀ ଫୋନ୍ ଉଠାଇଥିଲେ ବି ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଆସିବାକୁ ମନା କଲେ। ଭୋର୍ ପ୍ରାୟ ୫ଟା ବେଳେ ଯନ୍ତ୍ରଣାରେ ଛଟପଟ ହେଇ ପତ୍ନୀ ଶିଶୁକନ୍ୟା ଜନ୍ମ ଦେଇଥିଲେ।
ଏପଟେ ଆଶା କର୍ମୀ ସକାଳ ପ୍ରାୟ ୬ଟାରେ ଟିଏମ୍ସିରେ ପହଞ୍ଚିଥିଲେ। କିନ୍ତୁ ଗେଟ୍ ବନ୍ଦ ଥିଲା। ପରେ ସରପଞ୍ଚ ପ୍ରଦୀପ ବେହେରା ପହଞ୍ଚି ଗେଟ୍ ଖୋଲିବା ସହିତ ଘଟଣା ସଂପର୍କରେ ବିଡିଓ ଦେବାଶିଷ ରାଉତଙ୍କୁ ଜଣାଇଥିଲେ। ସକାଳ ପ୍ରାୟ ୯ଟା ବେଳକୁ ମେଡିକାଲ୍ ଟିମ୍ ଓ ଆମ୍ବୁଲାନ୍ସ ଧରି ବିଡିଓ ଆସିଥିଲେ। କିନ୍ତୁ ମରାମତି କାମ ଚାଲିଥିବାରୁ ରାସ୍ତା ଖରାପ ପାଇଁ ଆମ୍ବୁଲାନ୍ସ ଆସିପାରିନଥିଲା। ବିଡିଓ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସହିତ ବିଲ ହୁଡ଼ାରେ ଚାଲି ଚାଲି ଟିଏମ୍ସିରେ ପହଞ୍ଚିଥିଲେ। ଡାକ୍ତର ସେଠାରେ ଉଭୟ ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ଚଡ଼େଇଗୁଆଁ କୋଭିଡ୍ କେନ୍ଦ୍ରକୁ ନେବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ଆମ୍ବୁଲାନ୍ସ ଟିଏମ୍ସି କେନ୍ଦ୍ର ନିକଟକୁ ଆସି ପାରୁ ନ ଥିବାରୁ ସ୍ବାସ୍ଥ୍ୟ କର୍ମୀ ଏକ ଖଟିଆରେ ଉଭୟ ମା’ ଓ ଶିଶୁଙ୍କୁ କାନ୍ଧେଇ ଥିଲେ। ଲୁଣା ଘେରି ବଂଧରାସ୍ତାର ପ୍ରାୟ ଦୁଇ ଶହ ମିଟର୍ ରାସ୍ତା ଆସିବା ପରେ ଆମ୍ବୁଲାନ୍ସରେ ଉଭୟଙ୍କୁ ଚଡ଼େଇଗୁଆଁ କଲେଜ କୋଭିଡ୍ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ, ଏହି ଘଟଣା କେବଳ ବଜ୍ରମହାକାଳୀ ଟିଏମ୍ସି ସେଣ୍ଟର୍ ଅବ୍ୟବସ୍ଥାକୁ କେବଳ ଧରାପକାଇ ଦେଇନାହିଁ; ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ଓ ଆଶା କର୍ମୀଙ୍କ ଅସମ୍ବେଦନଶୀଳତାକୁ ପଦାରେ ପକାଇ ଦେଇଛି।
ବିଡିଓ ଶ୍ରୀ ରାଉତ କହିଛନ୍ତି, ସଂପୃକ୍ତ ମହିଳା ଏଠାରେ ପହଞ୍ଚିବା ପରେ ତାଙ୍କୁ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ହେଲେ, ସେ ନ ମାନି ଏଠାରେ ରହିଥିଲେ। ଅନ୍ୟପକ୍ଷରେ ସରପଞ୍ଚ ପ୍ରଦୀପ ବେହେରା କହିଛନ୍ତି ଖବର ପାଇ ଟିଏମ୍ସିକୁ ଆସି ଡାକ୍ତର ଟିମ୍ଙ୍କ ଜରିଆରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଛି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି ଜଣାପଡ଼ିବା ପରେ ସେମାନଙ୍କୁ ଚଡ଼େଇଗୁଆଁ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/baby.jpeg)