ଜନନୀ ସୁରକ୍ଷା ଏମିତି : ସେଦିନ ବାରଣ୍ଡାରେ, ଏବେ ଅଟୋରେ ପ୍ରସବ

ଜୟପୁର : ଗତକାଲି ଜୟପୁର ଉପଖଣ୍ଡ ଚିକିତ୍ସାଳୟର ବାରଣ୍ଡାରେ ଜଣେ ଗର୍ଭବତୀ ମହିଳା ପ୍ରସବ କରିଥିଲେ। ଏହି ଘଟଣାକୁ ୨୪ଘଣ୍ଟା ନପୂରୁଣୁ ଆଜି ପୁଣି ଡାକ୍ତରଖାନା ପରିସରରେ ଜଣେ ଗର୍ଭବତୀଙ୍କ ସହ ସମଦଶା ହୋଇଥିବା ଦେଖିବାକୁ ମିଳିଛି। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଜଣଙ୍କ ଡାକ୍ତରଖାନାର ପ୍ରସୂତି କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ଅଟୋରେ ହିଁ ପ୍ରସବ କରିଥିବା ଜଣାଯାଇଛି। ଲଗାତାର ଦୁଇ ଦିନରେ ଦୁଇ ଦୁଇଟି ଘଟଣାକୁ ନେଇ ସରକାରଙ୍କ ଜନନୀ ସୁରକ୍ଷା ଯୋଜନା କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଜୟପୁର ବ୍ଲକ ଗାଗନାପୁର ଗ୍ରାମର ଧନୁରୁ ମୁଦୁଲିଙ୍କ ପତ୍ନୀ ଗୁରୁବାରୀ ମୁଦୁଲି ଆଜି ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ ଲଗାଇ ବିଫଳ ହେବା ପରେ ବାଧ୍ୟ ହୋଇ ଗୋଟିଏ ଅଟୋରେ ଜୟପୁର ଡାକ୍ତରଖାନାକୁ ଆଣିଥିଲେ। ଅଟୋ ଡାକ୍ତରଖାନାର ମୁଖ୍ୟ ଫାଟକ ନିକଟରେ ପହଞ୍ଚିବା ବେଳକୁ ଅଟୋ ଭିତରେ ହିଁ କନ୍ୟା ସନ୍ତାନ ପ୍ରସବ ହୋଇଥିବା ଜଣାପଡିଛି। ଲେବର ରୁମ୍‌ ପାଖରେ ଅଟୋ ରଖି ଡାକ୍ତରଙ୍କୁ ପରିବାର ବର୍ଗ ଡାକିଥିଲେ। ଘଟଣାସ୍ଥଳରେ ଦୁଇ ଜଣ ନର୍ସ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ।

ପରିବାର ଲୋକଙ୍କ କହିବା ହେଲା ଆଜି ଅପରାହ୍ନରେ ଗୁରୁବାରୀଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଘର ଲୋକେ ଆଶା ଦିଦିଙ୍କୁ ଡାକିଥିଲେ। ଆଶା ଦିଦି ଆସି ଜନନୀ ସୁରକ୍ଷା ଗାଡିକୁ ଫୋନ କରିଥିଲେ। କିନ୍ତୁ ଫୋନ ଲାଗିନଥିଲା। ୧୦୨ ଓ ୧୦୮ ନମ୍ବରକୁ ଫୋନ ଲାଗିନଥିବା ପରିବାର ଲୋକ କହିଛନ୍ତି। ଅସୁରକ୍ଷିତ ଅବସ୍ଥାରେ ଅଟୋରେ ଡାକ୍ତରଖାନା ଆଣୁଥିବା ବେଳେ ଫାଟକ ନିକଟରେ ଗୁରୁବାରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ପ୍ରକାଶ କରିଛନ୍ତି। ଡାକ୍ତରଖାନାର ମହିଳା ଓ ପ୍ରସୂତି ବିଭାଗରେ ବେଡ ଖାଲି ନଥିବା ଯୋଗୁଁ ତାଙ୍କୁ ଚଟଣାରେ ଶୁଆଇ ଚିକିତ୍ସା କରାଯାଉଛି। ଏବେ ଉଭୟ ମା’ ଓ ଶିଶୁ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର