ସ୍ବାସ୍ଥ୍ୟସେବାର ବିକଳ ଚିତ୍ର : ଖୋଲା ପଡ଼ିଆରେ ପ୍ରସବ

କେନ୍ଦୁଝର/ବାଂଶପାଳ : ଗର୍ଭବତୀଙ୍କ ଚିକିତ୍ସା ଓ ନିରାପଦ ମାତୃତ୍ବ ପାଇଁ ରହିଛି ଏକାଧିକ ସରକାରୀ ଯୋଜନା। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏଭଳି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀ ପାଉନାହାନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦଡିହା ଗ୍ରାମର ଜଣେ ମହିଳା ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେଠାରୁ ଫେରାଇ ଦେବାପରେ ଖୋଲାପଡ଼ିଆରେ ସେ ପ୍ରସବ କରିବା ଘଟଣା କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି।

ଘଟଣାଟି ଏମିତି: କେନ୍ଦୁଝର ଜିଲ୍ଲାର ସବୁଠାରୁ ଅନୁନ୍ନତ କୁହାଯାଉଥିବା ବାଂଶପାଳ ବ୍ଲକର କାଦଡିହା ଗ୍ରାମ। ଏହି ଗ୍ରାମର ପୂର୍ଣ୍ଣ ମୁଣ୍ଡାଙ୍କ ପତ୍ନୀ ରଜନୀ ମୁଣ୍ଡା(୩୨)ଙ୍କର ଗତକାଲି ପ୍ରସବ ଯନ୍ତ୍ରଣା ହୋଇଥିଲା। ଏଥିପାଇଁ ସେ ଗତକାଲି ସକାଳେ ଜଣେ ମହିଳା ସହଯୋଗୀଙ୍କ ସହିତ ବସ୍‌ରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେଠାରେ ଥିବା ମା’ ଗୃହରେ ତାଙ୍କୁ ରଖା ନଯିବାରୁ ଡାକ୍ତରୀ ପରୀକ୍ଷା ପରେ ସେ ପୁଣି ଘରକୁ ଫେରି ଯାଇଥିଲେ। ବସ୍‌ ଯୋଗେ ପ୍ରାୟ ୧୮ କିଲୋମିଟର ଦୂରରେ ଥିବା ନିଜ ଗାଁ କାଦଡିହାକୁ ଫେରିଯିବା ବେଳେ ଗର୍ଭଯନ୍ତ୍ରଣା ଅସହ୍ୟ ହୋଇଥିଲା। ବସ୍‌ରୁ ଓହ୍ଲାଇ ଘରେ ପହଞ୍ଚିବା ସମ୍ଭବ ହୋଇନଥିଲା। ଗାଁ ନିକଟ ପଡ଼ିଆରେ ଏକ ଗଛମୂଳେ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଖବର ପାଇବା ପରେ ନିକଟସ୍ଥ ଗ୍ରାମରୁ ପରିବାର ଲୋକ ଆସି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁଣି ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ସହିତ ମା ଗୃହରେ ରଖିଛନ୍ତି। ମା ଓ ନବଜାତ ଶିଶୁକନ୍ୟା ସୁସ୍ଥ ଅଛନ୍ତି।

ଡାକ୍ତରଖାନାରୁ ଚିକିତ୍ସା ନପାଇ ଫେରିଯିବା ଅଭିଯୋଗ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ଦାସଙ୍କୁ ପଚାରିଥିଲୁ। ସେ କହିଥିଲେ, ଏହି ଅଭିଯୋଗ ଆସିବା ପରେ ଆମେ ତତ୍‌କାଳ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଈପ୍‌ସିତା ପ୍ରିୟଦର୍ଶିନୀଙ୍କୁ ତଦନ୍ତ ପାଇଁ ନି‌ର୍ଦେଶ ଦେଇଛୁ। ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର